ପୁରୀ (ଆମ ଟିଭି): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦୁଆର ଖୋଲିବାକୁ ନେଇ ଦାବି ଜୋର ଧରିଛି। ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଓଡିଶା ବନ୍ଦ ଡାକରା ଦେଇଛି। କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏବଂ ଏହା ସମ୍ପୂର୍ଣ୍ଣ ଶାନ୍ତି ପୂର୍ଣ୍ଣ ଭାବରେ କରାଯିବ ବୋଲି ସୂଚନା ରହିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ପାଖରେ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିଶ କରିଛି। ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟି ସୁପାରିଶ କରିଛି।
ତେବେ ଏ ନେଇ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହା ସହ ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ଉଚ୍ଚସ୍ତରୀୟ ଟିମ୍ ହେବ। ଟିମ୍ର ମୁଖ୍ୟ ହେବେ ସୁପ୍ରିମ୍କୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି।