ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଆଜି ବିଜେପି କଲା ସେଲିବ୍ରେସନ
ନାରୀ ଶକ୍ତି ବନ୍ଦନ ଅଧିନିୟମ ଏକ ସାମାନ୍ୟ ବିଲ୍ ନୁହେଁ। ଏହା ଭାରତର ନୂଆ ଲୋକତାନ୍ତ୍ରିକ ପ୍ରତିବଦ୍ଧତା ଅଟେ। ଏହା ଅମୃତ କାଳରେ ବିକଶିତ ଭାରତ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ ଅଟେ। ତେଣୁ ଏହି ଅବସରରେ ଭାରତର ସମସ୍ତ ମା’, ଭଉଣୀଙ୍କୁ ଅଭିନନ୍ଦନ ଜଣାଉଛି।’ ଏପରି ଏକ ଐତିହାସକ ବିଲ୍ ପାସ୍ ହେବା ପରେ ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ମତବ୍ୟକ୍ତ କରିଛନ୍ତି। ଏଥିସହ ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ଦିଗରେ ଏହା ମୋଦି ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି।
ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ସଂସଦରେ ଗୃହୀତ ହୋଇଛି। ଏହି ଅବସରରେ ବିଜେପି ମୁଖ୍ୟାଳୟରେ ସମ୍ମୁଖରେ ଚାଲିଛି ଉତ୍ସବ ପାଳନ। ଶତାଧିକ ସଂଖ୍ୟାରେ ମହିଳା ସଦସ୍ୟ ସେଲିବ୍ରେସନ କରୁଛନ୍ତି। ବାଜା ବଜାଇ ନାଚଗୀତ କରି ମହିଳାମାନେ ଉତ୍ସବ ପାଳନ କରିଛନ୍ତି।
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଶତାଧିକ ସଂଖ୍ୟାରେ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ ଓ କର୍ମୀ ଉପସ୍ଥିତ ଥିବା ବେଳେ ସେମାନେ ଜୋସ୍ର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଏଥିସହ ଏପରି ଏକ ଐତିହାସକ ବିଲ୍ ପାସ୍ କରାଇବା ନିମନ୍ତେ ବିଜେପି ମହିଳା ଶାଖା ପକ୍ଷରୁ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।