ନୂଆଦିଲ୍ଲୀ (ଆମ ଟିଭି): ଫିଫା ପୁରୁଷ ଫୁଟବଲ୍ ମାନ୍ୟତାରେ ଏକ ବଡ଼ ରେକର୍ଡ କରିଛି ଆର୍ଜେଣ୍ଟିନା । ବିଶ୍ବ ବିଜେତା ଆର୍ଜେଣ୍ଟିନା ଫିଫା ପୁରୁଷ ଫୁଟବଲ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଆର୍ଜେଣ୍ଟିନା ଫିଫା ବିଶ୍ବକପ-୨୦୨୬ ଯୋଗ୍ୟତାପର୍ୟ୍ୟାୟ ମ୍ୟାଚରେ ୧-୦ ଗୋଲରେ ଇେକ୍ବଡର ଓ ୩-୦ ଗୋଲରେ ବଲିଭିଆକୁ ପରାସ୍ତ କରିବା ପରେ ୧୮୪୩.୭୩ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି।
ଅନ୍ୟପକ୍ଷରେ ଶୀର୍ଷ ସ୍ଥାନରେ ରହିଥିବା ଫ୍ରାନ୍ସ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚରେ ଜର୍ମାନୀ ନିକଟରୁ ୧-୨ ଗୋଲରେ ପରାଜିତ ହେବା ପରେ ୧୮୪୩.୫୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସି ଆସିଛି। ଅନ୍ୟମାନଙ୍କ ମଧ୍ୟରେ ବ୍ରାଜିଲ ୩ୟ, ଇଂଲଣ୍ଡ ୪ର୍ଥ, ବେଲଜିୟମ ୫ମ, କ୍ରୋଏସିଆ ୬ଷ୍ଠ, ନେଦରଲାଣ୍ଡ୍ସ ୭ମ, ପର୍ତ୍ତୁଗାଲ ୮ମ ଓ ଇଟାଲି ୯ମ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରିଆ ୨୫, ହଙ୍ଗେରୀ ୩୨ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତ ଏସୀୟ କ୍ରୀଡ଼ାରେ ଚୀନ୍ ନିକଟରୁ ପରାଜୟ ପରେ ମଧ୍ୟ ୯୯ତମ ସ୍ଥାନରେ ରହିଛି।