ମହିଳା ସଂରକ୍ଷଣ ବିଲକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ କବିତା
ହାଇଦ୍ରାବାଦ: ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ବିଆରଏସ୍ ନେତା କେ. କବିତା ଭାଜପା ଉପରେ ବର୍ଷିଛନ୍ତି। ଶାସକ ଦଳକୁ ଟାର୍ଗେଟ୍ କରି ସେ କହିଛନ୍ତି ବିରୋଧୀ ଦଳର ଚାପ ଯୋଗୁ ଭାଜପା ଏହି ବିଲ୍ ପାରିତ କରିଛି।
ମହିଳା ସଂରକ୍ଷଣ ବିଲ୍ ଉପରେ ଗଣମାଧ୍ୟମକୁ ସୂଚନା ଦେଇ କବିତା କହିଛନ୍ତି , ଏହା ଭାଜପାର ଉପହାର ନୁହେଁ, ବରଂ ଏହା ଅନ୍ୟ ଦଳର ଚାପର ପ୍ରଭାବ, ଯେଉଁଥିପାଇଁ ଭାଜପାକୁ ଏହି ବିଲ୍ ପାରିତ କରିବାକୁ ପଡିଛି। ସେ ଆହୁରି କହିଛନ୍ତି, ଓବିସି ମହିଳାମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି, ଯେଉଁଥିପାଇଁ ଆମେ ସମସ୍ତେ ଦୁଃଖିତ।
ଯେତେବେଳେ ଜାତୀୟ ରାଜନୀତିରେ ବିଆରଏସ୍ର ଭୂମିକା ବିଷୟରେ କେ କବିତାଙ୍କୁ ପଚରାଗଲା, ସେ ଇଣ୍ଡିଆ ମେଣ୍ଟକୁ ଦଳକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଆଜି ଥିବା ଇଣ୍ଡିଆ ମେଣ୍ଟ ଆସନ୍ତାକାଲି ରହିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ଲୋକ ସଭା ନିର୍ବାଚନ ପୂର୍ବରୁ ବିଧାନସଭା ନିର୍ବାଚନ ଏବଂ ଆସନ ବାଣ୍ଟନ ପ୍ରସଙ୍ଗ ଉଠିବ, ଯାହା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହେବ।