ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ବନ୍ଦ ହେଲା ଆଫଗାନିସ୍ତାନର ଦୂତାବାସ । ଭାରତରେ ଥିବା ଦୂତାବାସକୁ ଆଜିଠାରୁ ବନ୍ଦ କରିବାକୁ ଘୋଷଣା କରିଛି ଆଫଗାନିସ୍ତାନ । “ଇସଲାମିକ ରିପବ୍ଲିକ ଅଫ ଆଫଗାନିସ୍ତାନ”ର ଦୂତାବାସ କାର୍ୟ୍ୟକଳାପ ବନ୍ଦ କରିବ ବୋଲି ଶନିବାର ଦିନ ଔପଚାରିକ ବିବୃତ୍ତିରେ ଉଲ୍ଲେଖ କରିଛି । ଗଭୀର ଦୁଃଖ, ପରିତାପ ଓ ହତାଶା ସହିତ ଏହି ଘୋଷଣା କରୁଛି । ଆତିଥ୍ୟ ଦେଇଥିବା ଭାରତ ସରକାର ସହଯୋଗ ଅଭାବ ଏବଂ ଆଶାନୁରୂପେ କାର୍ୟ୍ୟ କରିବାରେ ବିଫଳ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଆତିଥ୍ୟ ଦେଇଥିବା ସରକାରଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ଗୁଡିକରେ ସହଯୋଗ ନ ମିଳିବା ଫଳରେ ବାଧା ଉପୁଜିଥିଲା ।
ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଥିବା ଦୀର୍ଘ ଦିନର ଐତିହାସିକ ସମ୍ପର୍କ ପ୍ରତି ଧ୍ୟାନ ଦିଆଯାଇ ବହୁ ବିଚାର ଆଲୋଚନା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଫଗାନିସ୍ତାନର ଦୂତାବାସରୁ ରାଷ୍ଟ୍ରଦୂତ ଓ ବରିଷ୍ଠ କୂଟନୀତିଜ୍ଞମାନେ ୟୁରୋପ ଓ ଆମେରିକାରେ ରାଜନୈତିକ ଶରଣ ପାଇବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଦୂତାବାସର ୩ ଜଣ କର୍ମଚାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।