ଲାଗୁ ହେଲା ଶ୍ରୀମନ୍ଦିରରେ ପୋଷାକ ବ୍ୟବସ୍ଥା

0

ପୁରୀ,: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରସଙ୍ଗରେ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଚିଠି ମାଧ୍ୟମରେ ସମସ୍ତ ନିଯୋଗ ସମ୍ପାଦକ ଏବଂ ସଭାପତିଙ୍କୁ ଅବଗତ କରାଇଛନ୍ତି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ୯ ତାରିଖରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ କରାଯାଇଛି। ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିବା ବାଞ୍ଛନୀୟ। ଏଥିନିମନ୍ତେ ନିର୍ଦ୍ଦିଷ୍ଟ କୌଣସି ପୋଷାକ ତାଲିକା ଧାର୍ଯ୍ୟ କରାଯାଇନାହିଁ। ତେବେ ପୁରୁଷମାନେ ପ୍ୟାଣ୍ଟ, ଶାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ପୋଷାକ ପିନ୍ଧିପାରିବେ। ସେହିପରି ମହିଳାମାନେ ଶାଢି, ସାଲଓ୍ବର କମିଜ ପରି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବେ, ଯାହା ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ସହ ଆଧ୍ୟାତ୍ମିକ ସମର୍ପଣ ମନୋଭାବ ସଞ୍ଚରଣ କରିବ। ସେବାୟତମାନେ କେଉଁ ଅନାଦି କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର କରିଆସୁଛନ୍ତି। ଦୂରାଗତ ଭକ୍ତମାନେ ସେବାୟତଙ୍କ ସହଯୋଗରେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି। ତେଣୁ ବାହାରୁ ଆସୁଥିବା ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନେଇ ପ୍ରଶିକ୍ଷିତ ଓ ସଚେତନ କରିବା ପାଇଁ ଚିଠିରେ ଅନୁରୋଧ କରାଯାଇଛି। ବିଶେଷକରି ଭକ୍ତମାନେ ହାଫ୍‌ ପ୍ୟାଣ୍ଟ, ଚିରାଫଟା ଜିନ୍ସ, ଅନାବଶ୍ୟକ ଶରୀର ପ୍ରଦର୍ଶନ ଏବଂ ଧାର୍ମିକ ଭାବନାକୁ କୁଠାରାଘାତ କରୁଥିବା ଯେ କୌଣସି ପୋଷାକ ବର୍ଜନୀୟ। ବର୍ତ୍ତମାନ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି କରାଯିବ। ଆସନ୍ତା ନବବର୍ଷଠାରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇପାରେ। ମହାନ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସୁରକ୍ଷା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ ନିଯୋଗ ଠାରୁ ସହାୟତା ଲୋଡୁଛି ବୋଲି ଚିଠିରେ ଦର୍ଶାଯାଇଛି। ପୁରୀର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟର ମାଲିକ ଓ କର୍ମଚାରୀମାନେ ଏନେଇ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ସଚେତନ କରାଇବା ପାଇଁ କୁହାଯାଇଛି। ଆବଶ୍ୟକସ୍ଥଳେ ପଦକ୍ଷେପ ନେବାକୁ ଆରକ୍ଷୀ ଅଧୀକ୍ଷକ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ, ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକ, ଉନ୍ନୟନ ପ୍ରଶାସନ, ଉପଜିଲାପାଳ, ସିଂହଦ୍ୱାର ଥାନା ଅଧିକାରୀ, ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କ ସମେତ ସମସ୍ତ ଭକ୍ତନିବାସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ନିକଟକୁ ଏହି ଚିଠିର ନକଲ ପଠାଯାଇଛି।

Leave A Reply

Your email address will not be published.