ଭୁବନେଶ୍ୱର (ଆମ ଟିଭି): ଦଶହରା ପାଇଁ ସବୁଠି ଉତ୍ସବମୁଖର ପରିବେଶ । ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଏହାରି ଭିତରେ ଏକ ଖବର ମିଳିଛି ଯେ, ବର୍ଷାରେ ଭିଜିପାରେ ଦଶହରା । ଦଶହରା ବେଳକୁ ଏକ ଲଘୁଚାପ ଓଡ଼ିଶା ଉପକୂଳକୁ ଆସିପାରେ । ଏହା ପ୍ରଭାବରେ ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୱିଣ୍ଡି ଡଟକମରେ ଜିଏଫଏସ୍ ମଡେଲର ଆକଳନ ଅନୁଯାୟୀ ଏକ ଲଘୁଚାପ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ରହିପାରେ । ଏପରିକି ଏହା ଗୋପାଳପୁର ଏବଂ ଚିଲିକା ମଝିରେ ସ୍ଥଳଭାଗ ଛୁଇଁପାରେ ।
ଟ୍ରପିକାଲ ଟିଡଟିକ୍ସ ଡଟକମର ଉପସ୍ଥାପିତ ଜିଏଫଏସ୍ ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଅଧିନ ଘନିଭୂତ ହୋଇ ବାଂଲାଦେଶ ଆଡକୁ ମୁହାଁଇପାରେ । ସେପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ । ଏଲ-ନିନୋ ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଏବଂ ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ ।