ନୂଆଦିଲ୍ଲୀ(ଆମ ଟିଭି): ଦିନ ଯେତିକି ଗଡ଼ୁଛି, ସେତେ ଭୟଙ୍କର ହେଉଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ । ୧୨ ଦିନରେ ପହଞ୍ଚିଲାଣି ଦୁଇ ଦେଶ ମଧ୍ୟରେ ସଂଘର୍ଷ। ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଉତ୍ତର ଗାଜାକୁ ଟାର୍ଗେଟ୍ କରୁଛି । ଆକାଶ, ମାଟି ସହିତ ସମୁଦ୍ରରୁ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛି । ଏନେଇ ଇସ୍ରାଏଲର ପ୍ରତିରକ୍ଷା ବିଭାଗ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି ।
ଭିଡ଼ିଓ ଜାରି କରି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛନ୍ତି, ‘ସାର୍ ୬’ ମିସାଇଲକୁ ଜାହାଜପୋତରୁ ହମାସ୍ର ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନା ଉପରେ ଆକ୍ରମଣ କରାଯାଇଛି । ଫଳରେ କାରଖାନାଟି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି । କିନ୍ତୁ ଏଥିରେ କେତେ ହମାସ୍ ଆତଙ୍କୀ ନିପାତ ହୋଇଛନ୍ତି ସେ ବାବଦରେ କୌଣସି ସୂଚନା ଦିଆଯାଇନାହିଁ ।
ସେପଟେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଠାରୁ ଆଦେଶ ପାଇବା କ୍ଷଣି ସ୍ଥଳଭାଗରେ ସେନା ପଶି ହମାସ୍ ସଦସ୍ୟଙ୍କୁ ଖୋଜି ଖୋଜି ମାରିବେ । ମଙ୍ଗଳବାର ହମାସ୍ର ମୁଖ୍ୟାଳୟ ଉପରେ ବୋମା ମାଡ଼ କରି ଉଡ଼ାଇ ଦେଇଛି ଇସ୍ରାଏଲ୍ ସେନା । ସେହିଭଳି ଦକ୍ଷିଣ ଗାଜାର କେତେକ ସ୍ଥାନରେ ମଧ୍ୟ ଆଇଡିଏଫ୍ର ସୈନ୍ୟମାନେ ବୋମା ବର୍ଷାଣ କରିଛନ୍ତି । ଏହାଯୋଗୁ ୮୦ ଲୋକ ପ୍ରାଣ ହରାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।