ଆଜି ପଞ୍ଚଭୂତରେ ଲୀନ ହେବେ ସ୍ୱରୂପ ନାୟକ

0

କଟକ (ଆମ ଟିଭି): ଆଜି ପଞ୍ଚଭୂତରେ ଲୀନ ହେବେ ସ୍ୱରୂପ ନାୟକ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଆଜି କଟକ ସତୀଚଉରା ଶ୍ମଶାନରେ ରାଜ୍ୟ ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ କରାଯିବ । ପରଲୋକଗତ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ ରାଜ୍ୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସିଡିଏ ସ୍ଥିତ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ଼ ଲାଗିଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, କଳାପ୍ରେମୀ, ଆସି ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି।

୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସିନେଜଗତରେ ପାଦ ଥାପିଥିଲେ ସ୍ବରୂପ ନାୟକ। ୪୧ଟି ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ସହ ୩୦ଟି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅନେକ ଗୀତ ବେଶ ଲୋକପ୍ରିୟତା ଅର୍ଜନ କରିଥିଲା। ହୀରା ନୀଳା, ବଗୁଲା ବଗୁଲି, ଲାଲପାନ ବିବି, ଯାହାକୁ ରଖିବେ ଅନନ୍ତ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ପଞ୍ଜୁରୀ ଭିତରେ ଶାରୀ, କୁଳ ନନ୍ଦନ, ପୁଅ ମୋର ଭୋଳା ଶଙ୍କର, ଶାଶୂଘର ଚାଲିଯିବି ଭଳି ଅନେକ ହିଟ୍ ଫିଲ୍ମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ସ୍ବରୂପ ନାୟକ କେବଳ ସଂଗୀତ ନିର୍ଦ୍ଦେଶକ ନଥିଲେ। ଏକାଧାରରେ ଥିଲେ ଜଣେ ଗୀତିକାର, କଣ୍ଠଶିଳ୍ପୀ ଓ ଅଭିନେତା ।

Leave A Reply

Your email address will not be published.