ନୂଆଦିଲ୍ଲୀ(ଆମ ଟିଭି): ଉତ୍ତରାଖଣ୍ଡର ଟନେଲ ଟ୍ରାଜେଡି। ଭଗ୍ନ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ଧାର କାର୍ୟ୍ୟ ଜୋରଦାର ଜାରି ରହିଛି। ଫସିରହିଥିବା ଶ୍ରମିକଙ୍କ ମଧ୍ୟରେ ୫ଜଣ ଓଡ଼ିଆ ଅଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ମୟୂରଭଞ୍ଜ ଜିଲାର ଏବଂ ୨ଜଣ ନବରଙ୍ଗପୁର ଜିଲାର ବୋଲି ଜଣାପଡ଼ିଛି। ଟନେଲରୁ ମାଟି ଓ ପଥର ହଟାଇବାକୁ ବଡ ବଡ ବୁଲଡୋଜର ଲଗାଯାଇଛି। ସେମାନଙ୍କୁ ଗତକାଲି ଠାରୁ ପାଇପ୍ ଯୋଗେ ଅକ୍ସିଜେନ ଓ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି। ଏଥିସହ ୱାକି ଟକି ସାହାଯ୍ୟରେ ବି ଶ୍ରମିକଙ୍କ ସହ ଆଲୋଚନା କରାଯାଉଛି ।
ତେବେ ଫସିରହିଥିବା ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳି ପାରୁ ନ ଥିବାରୁ ସେମାନଙ୍କ ପରିବାର ଲୋକେ ହତୋତ୍ସାହିତ ହୋଇପଡ଼ିଛନ୍ତି। ସୁରକ୍ଷିତ ଭାବେ ସେମାନଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ନିବେଦନ କରିଛନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସ୍ଥିତି ଉପରେ ନଜର ରଖିଛନ୍ତି।