ପୁରୀ (ଆମ ଟିଭି): ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ ଲାଗିଲା କଟକଣା। ଶ୍ରୀମନ୍ଦିର ପ୍ରଶାସନ ଆଜିଠୁ ପାନଗୁଟୁଖାକୁ ନିଷିଦ୍ଧ କଲା।ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି। ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ। ୧ରୁ ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ।ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ତାଙ୍କର ସୂଚନା ଅନୁଯାୟୀ,ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଏପରିକି ସେବାୟତଙ୍କୁ ବି ପାନଗୁଟୁକା ଖାଇବା ଉପରେ କଟକଣା ଲାଗିଲା।
ଏଥିନିମନ୍ତେ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ।ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି।ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ମାତ୍ର ଭିତରେ ପାନ, ଗୁଟଖା ଖାଇ ଲୋକେ ଛେପ ପକାଉଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି।