ରାହୁଲ ପ୍ରିୟଙ୍କାଙ୍କ ଉପରେ ବର୍ଷିଲେ ଶିବରାଜ
ଭାରତ ବିଶ୍ୱକପ ଫାଇନାଲ ହାରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏହିକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଡ଼ ଦାବି କରିଛନ୍ତି। ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଖୁସି ହୋଇଥିଲେ ବୋଲି ଶିବରାଜ ସିଂହ କହିଛନ୍ତି।
ରାଜସ୍ଥାନରେ ଆୟୋଜିତ ଗୋଟିଏ ନିର୍ବାଚନ ରାଲିରେ ଶିବରାଜ ସିଂହ କହିଛନ୍ତି ଯେ ବିଜେପି ୫ମ ଥର ପାଇଁ ମଧ୍ୟପ୍ରଦେଶରେ କ୍ଷମତା ଦଖଲ କରିବେ। ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ବିଦା ହେବ। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ଭାରତୀୟ ଟିମର ବିଜୟ ପାଇଁ ପୂରା ଦେଶ ପ୍ରାର୍ଥନା କରୁଥିଲା। କିନ୍ତୁ ଦଳ ଯେତେବେଳେ ହାରିଗଲା ଲୋକଙ୍କ ଆଖିରେ ଲୁହ ଚାଲି ଆସିଥିଲା।
କିନ୍ତୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭାରତୀୟ ଟିମର ପରାଜୟରେ ଖୁସି ହୋଇଥିଲେ। ଏହା ଦେଶଦ୍ରୋହ। କଂଗ୍ରେସ କେବଳ ଦେଶକୁ ବର୍ବାଦ କରିବାକୁ ଆସିଛି। ଗେହଲଟ(ରାଜସ୍ଥାନ ମୁଖ୍ୟମନ୍ତ୍ରୀ) ଦୁର୍ନୀତିଗ୍ରସ୍ତ। ସେ ରାଜସ୍ଥାନକୁ ଦୁର୍ନୀତିରେ ୧ନଂ କରିଛନ୍ତି।”
ଶିବରାଜ ଆହୁରି କହିଛନ୍ତି, “ରାହୁଲ ଗାନ୍ଧି କେବଳ କଂଗ୍ରେସ ପାଇଁ ନୁହେଁ, ପୂରା ଦେଶ ପାଇଁ ଗୋଟିଏ ସମସ୍ୟା। ସେ ଯେତେବେଳେ ସାଧାରଣ ସଭାରେ ଭାଷଣ ଦେଉଛନ୍ତି ସେତେବେଳେ ସେ କ’ଣ କହୁଛନ୍ତି, ସେକଥା ନିଜେ ମଧ୍ୟ ଜାଣିପାରୁ ନାହାନ୍ତି। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଉଭୟ ମିଛ କହୁଛନ୍ତି।