ନୂଆଦିଲ୍ଲୀ (ଆମ ଟିଭି): ଉତ୍ତରକାଶୀରେ ଫଶିଥିବା ଶ୍ରମିକ କେବେ ଉଦ୍ଧାର ହେବେ ତାକୁ ନେଇ ସବୁଠି ଚର୍ଚ୍ଚା । ସୁଡ଼ଙ୍ଗରୁ ଶ୍ରମିକ ଆଜି ବାହାରିବେ, କାଲି ବାହାରିବେ, ଆଉ କିଛି ଘଣ୍ଟାର ଅପେକ୍ଷା, ଏହିଭଳି ଖବର ଭିତରେ କୌଣସି ଆଶ୍ୱସ୍ତିକର ସୂଚନା ଆସିପାରୁନାହିଁ । ଆଉ ସମୟ ଗଡିବା ସହ ଭୟ ବି ବଢୁଛି । କିନ୍ତୁ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ବିଶେଷଜ୍ଞ ଅତି ସତର୍କତାର ସହ ଆଗକୁ ବଢୁଛନ୍ତି ।
ରବିବାରଠାରୁ ସୁଡଙ୍ଗର ଉପରପଟୁ କିଛି ଏହିଭଲି ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି । ଭଗ୍ନାବଶେଷ ଦେଇ ଯେଉଁ ହୋରାଇଜେଂଟାଲ ଅର୍ଥାତ ସମାନ୍ତରାଳ ଖନନ ଚାଲିଥିଲା ତାକୁ ସାମୟିକ ଅଟକାଇ ଦିଆଯାଇଛି । କାରଣ ଉଭୟପଟୁ ଡ୍ରିଲିଂ କଲେ ସୁଡଙ୍ଗ ଧସିବାର ଆଶଙ୍କା ବି ରହିଛି । ରାଜ୍ୟର ନୋଡାଲ ଅଧିକାରୀ ନୀରଜ ଖେରବାଲ କହିଛନ୍ତି, ଖନନ କରୁଥିବା ଆମେରିକା ଅଗର ମେସିନର କିଛିଅଂଶ ଭାଙ୍ଗି ଯାଇଥିଲା । ହାଇଦ୍ରାବାଦରୁ ଅଣାଯାଇଥିବା ପ୍ଲାଜ୍ମା କଟର ଜରିଆରେ ଏହାକୁ କଟା ଯାଉଛି । ପ୍ରାୟ ୧୫ ମିଟର ଅଂଶ କଟା ସରିଛି । ବାକି ଅଂଶ ସୋମବାର ସୁଦ୍ଧା କାଟି ସଫା କରାଯିବ ।