ଭୁବନେଶ୍ୱର (ଆମ ଟିଭି): ୩ ଦିନ ବିତିଗଲାଣି, ଯେତେ ଗଣିଲେ ବି ସରୁନାହିଁ । ତୃତୀୟ ଦିନରେ ଚାଲିଛି ଟଙ୍କା ଗଣା । ଟଙ୍କା ଗଣି ଗଣି ବ୍ୟାଙ୍କ ଓ ଆଇଟି ଅଧିକାରୀ ହାଲିଆ । ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୫୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ତେବେ ଏହି ଟଙ୍କା ୩୦୦ କୋଟି ଟଙ୍କା ଟପିବ ବୋଲି ଜଣାପଡ଼ିଛି । ଆଜି ବି ସମ୍ବଲପୁରରେ ରେଡ୍ କରାଯାଉଛି ।
ଟଙ୍କା ଗଣିବା ପାଇଁ ଭୁବନେଶ୍ୱରରୁ ବଲାଙ୍ଗିରକୁ ଯାଉଛି ୩ଟି ମେସିନ୍ । ଜବତ ଟଙ୍କା ମଧ୍ୟରେ ୧୦୦ ଟଙ୍କିଆ, ୨୦୦ ଟଙ୍କିଆ, ୫୦୦ ଟଙ୍କିଆ ରହିଛି । କେବଳ ଟଙ୍କା ନୁହେଁ ବିଭିନ୍ନ ସ୍ଥାନରୁ ସୁନା ଗହଣା ଓ ସୁନା ବିସ୍କୁଟ ଜବତ ହୋଇଛି । ଟଙ୍କା ଗଣତି ସରିନଥିବାରୁ ସୁନା ଗହଣାର ହିସାବ ଆରମ୍ଭ ହୋଇନାହିଁ । ଏତେ ପରିମାଣର ଟଙ୍କା ସବୁ କେଉଁଠୁ ଆସିଲା, ତାକୁ ନେଇ ଖୋଳତାଡ଼ କରୁଛି ଆୟକର ବିଭାଗ । ସେପଟେ ଅଧିକ ତଦନ୍ତ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ଏଂଟ୍ରି ମାରିପାରେ । ଯଦି ଇଡି ହାତକୁ ତଦନ୍ତଭାର ଦିଆଯାଏ, ତାହେଲେ ନେତାଙ୍କ ପାଇଁ ଚିନ୍ତା ବଢ଼ିଯିବ । କାରଣ ଏଥିରେ ନେତାଙ୍କ ସଂପୃକ୍ତି ଅଛି କି ନାହିଁ, ତା’ର ତଦନ୍ତ ହୋଇପାରେ ।