ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଟଙ୍କାର ପାହାଡ଼। ଗତ ୬ ତାରିଖରୁ ବୋୖଦ୍ଧ ଜିଲ୍ଲାର ଦୁଇଟି ଶିଳ୍ପ ସଂସ୍ଥା ଉପରେ ଆୟକର ବିଭାଗ ପକ୍ଷରୁ ହୋଇଥିବା ରେଡ଼ ଗତକାଲି ସମ୍ପୂର୍ଣ୍ଣ ହୋଇଛି । ସୂଚନା ଅନୁଯାୟୀ ଜିଲ୍ଲାର ପୁରୁଣାକଟକ ସ୍ଥିତ ରାଣୀସତି ରାଇସ ମିଲରେ ଦୁଇଦିନ ରେଡ଼ ପରେ ୭ ତାରିଖ ବିଳମ୍ବିତ ରାତିରେ ରେଡ଼ ସମ୍ପୁର୍ଣ୍ଣ କରି ନଗଦ ୪ ଲକ୍ଷ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ଯାଇଛି ଆୟକର ବିଭାଗ ଟିମ । ସେହଭଳି ତିତିରିକଟା ସ୍ଥିତ ବୌଦ୍ଧ ଡ଼ିଷ୍ଟିଲାରୀ ସ୍ପିରିଟ କାରଖାନାରେ ଦୀର୍ଘ ତିନିଦିନ ଧରି ଚାଲିଥିବା ରେଡ଼ ଗତକାଲି ବିଳମ୍ବିତ ରାତିରେ ସରିଥିବା ଜଣାପଡିଛି ।
ତେବେ ଆୟକର ବିଭାଗ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ କମ୍ପାନୀର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ପାଇଁ ଉଠାଇନେଇଥିବା ଜଣାପଡ଼ିଛି । ସେହିଭଳି ଗତକାଲି କମ୍ପାନୀ ପାଚେରୀ ବାହାରେ ପୁଳା ପୁଳା ଚିରାଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଡିଥିବା ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି କିଛି ଦସ୍ତାବିଜ ହାତରେ ଲାଗିଥିବା ଜଣାପଡିଛି ।