ଭୁବନେଶ୍ବର(ଆମ ଟିଭି): ଏଣିକି ମହଙ୍ଗା ହେବ ରେଳ ଯାତ୍ରା । ଟ୍ରେନରେ ଜେନେରାଲ କମ୍ପାର୍ଟମେଣ୍ଟ୍ ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଚଳିତବର୍ଷଠାରୁ ଆସନ୍ତା ୨ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍ରେ ଏହି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି । ସେପଟେ ପ୍ଲାଟ୍ଫର୍ମ ଟିକେଟ୍ ଓ ଖାଦ୍ୟ ଦର ବୃଦ୍ଧି ରେଳ ଯାତ୍ରାକୁ ଆହୁରି ମହଙ୍ଗା କରିପକାଇଛି ।
ଏକ୍ସପ୍ରେସ୍ ଟ୍ରେନରେ ରହିବନି ଜେନେରାଲ୍ ବଗି । କେବଳ ରହିବ ଏସି କୋଚ । ମହଙ୍ଗା ହେବ ରେଳ ଯାତ୍ରା । ଯାତ୍ରୀ ଗଣିବେ ଏସି କୋଚ୍ ଫେୟାର୍ । ଯାତ୍ରୀଙ୍କ ଭିଡ କମାଇବା, ପରିଷ୍କାର ପରିଚ୍ଛନ୍ନତା ଓ ଟ୍ରେନ୍ ଠିକ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଏପରି ଯୋଜନା କରାଯାଉଛି । ଏଥିପାଇଁ ଏକ୍ସପ୍ରେସ୍ ଟ୍ରେନ୍ରେ ଜେନେରାଲ କମ୍ପାର୍ଟମେଣ୍ଟ୍ ଓ ସ୍ଲିପର୍ କୋଚ୍ ଉଠାଇଦେବାକୁ ୨୦୨୦ରେ ରେଳବାଇ ବୋର୍ଡ ସରକାରଙ୍କୁ ସୁପାରିସ କରିଥିଲା ।