ନୂଆଦିଲ୍ଲୀ (ଆମ ଟିଭି): ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ କୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ। ମଧ୍ୟପ୍ରଦେଶ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେଇସାରିଛି । ଏବେ ଅପେକ୍ଷା ଦୁହିଁଙ୍କ ଶପଥ ଗ୍ରହଣ ଉତ୍ସବକୁ । ପ୍ରଥମେ ଭୋପାଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ମୋତିଲାଲ ନେହେରୁ ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟା ୩୦ରେ ଶପଥ ନେବେ । ଏହାପରେ ଅପରାହ୍ନ ୪ଟାରେ ରାୟପୁରରେ ଏକ କଲେଜ ପଡିଆରେ ଛତିଶଗଡରେ ବିଷ୍ଣୁ ଦେବ ସାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।
ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଦଳର ଅନ୍ୟ ଶୀର୍ଷ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପାର୍ଟି ସୂତ୍ର ଅନୁଯାୟୀ ମୋହନ ଯାଦବଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିପାରିବେ । ଶପଥ ଗ୍ରହଣ ସମାରୋହ ପାଇଁ ଉଭୟ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି ।
ଦୁଇ ରାଜ୍ୟରେ ଦୁଇ ନୂଆ ଚେହେରା ଦେଇ ବିଜେପି ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ୨୦୨୪ ନିର୍ବାଚନରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି । ସେହିପରି ରାଜସ୍ଥାନରେ ମଧ୍ୟ ପ୍ରଥମ ଥର ବିଧାୟକ ହୋଇଥିବା ଭଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀ କରାଇଛି ବିଜେପି ।