ଏହି ରାଜ୍ୟରେ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଲେ ସରକାର
ପୁଣି କଡ଼ ଲେଉଟାଇଛି କରୋନା। ଦେଶରେ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ମହାମାରୀ କୋଭିଡ-୧୯। ଦେଶରେ ଦିନକରେ ୩ଶହରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ସହ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ଦେଖି ବେଳେ ଚାରିଆଡେ ଲୋକଙ୍କ ମଧ୍ୟରେ ଛନକା ପଶିଛି। କେବଳ ସେତିକି ପ୍ରଶାସନ ମଧ୍ୟ ସଜାଗ ହୋଇଉଠିଛି। ଲୋକଙ୍କୁ ପୁଣି ଥରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।
କରୋନା ମହାମାରୀର ନୂଆ ଘାତକ ସବ୍-ଭାରିଏଣ୍ଟ ଜେଏନ୍.୧ ଚିହ୍ନଟ ହୋଇଛି। କେରଳରୁ ପ୍ରଥମେ ଏହି ଭାରିଏଣ୍ଟରେ ଜଣେ ମହିଳା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ଏହା ବିଭିନ୍ନ ରାଜ୍ୟକୁ ଏହା ବ୍ୟାପିବାରେ ଲାଗିଲାଣି। ଏହକୁ ଦୃଷ୍ଟିରେ ରଖି ପଡୋଶୀ ରାଜ୍ୟ କର୍ଣ୍ଣାଟକ ସଜାଗ ହୋଇଉଠିଛି। ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ କର୍ଣ୍ଣାଟକ ସରକାର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି।
କର୍ଣ୍ଣାଟକ ସ୍ୱାସ୍ତ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ‘ରୋଗରେ ପୀଡିତ ବ୍ୟକ୍ତି ଓ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ କହିଛନ୍ତି। ଅଯଥା ଭୟଭୀତ ହେବା ଉଚିତ ନୁହେଁ, କିନ୍ତୁ ସତର୍କ ରହିବା ଜରୁରୀ। ଯେଉଁମାନଙ୍କ ବୟସ ୬୦ ବର୍ଷ, ଯେଉଁମାନଙ୍କ ହୃଦ୍ ସମ୍ବନ୍ଧିୟ ସମସ୍ୟା ରହିଛି ଓ ବିଭିନ୍ନ ପ୍ରକାର ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ ବୋଲି ସେ କହିଛନ୍ତି।