ଭୁବନେଶ୍ୱର (ଆମ ଟିଭି): ବର୍ଷ ଆରମ୍ଭରୁ ଏକ ବଡ ଅଘଟଣ ଖବର ସାମ୍ନାକୁ ଆସୁଛି । କଟକ-ଚାନ୍ଦବାଲି ରାସ୍ତାରେ ଭୟଙ୍କର ଦୁର୍ଘଟଣା ଘଟିଛି। ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।
ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତିର୍ କରାଯାଇଛି । କିଛି ଜଣଙ୍କ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଦୁର୍ଘଟଣାଗ୍ରସ୍ତ ହୋଇଥିବା ମନୋରମା ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ବସ୍ ଭିତରେ ୪ ଜଣ ଫଶି ରହିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଗ୍ୟାସ୍ କଟର ଜରିଆରେ ବସକୁ କାଟି ଗୁରୁତରଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସ୍ଥାନୀୟ ଲୋକ ଦେବଦୂତ ସାଜି ସହଯୋଗ କରିଥିଲେ ଏବଂ ଆହତ ମାନଙ୍କୁ ଉଦ୍ଧାର କରିଥିଲେ ।