ନୂଆଦିଲ୍ଲୀ: ପୁଣି ରାମ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଶଙ୍କରାଚାର୍ଯ୍ୟ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ଚାରି ଶଙ୍କରାଚାର୍ୟ୍ୟ ଏହି ସମାରୋହରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନିମନ୍ତ୍ରଣ ସତ୍ତ୍ୱେ ସେ ଅଯୋଧ୍ୟା କାର୍ୟ୍ୟକ୍ରମରେ କାହିଁକି ଯୋଗଦେବେ ନାହିଁ ନେ ନେଇ ନିଜ ମତ ରଖିଛନ୍ତି ପୁରୀର ଶଙ୍କରାଚାର୍ୟ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ। ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରତିଷ୍ଠିତ ପରମ୍ପରାକୁ ପାଳନ ନ କରିବାରୁ ଏହି ସମାରୋହରେ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।
ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ଶଙ୍କରାଚାର୍ୟ୍ୟଙ୍କର ନିଜସ୍ବ ସମ୍ମାନ ରହିଛି। ଏହା ଅହଙ୍କାର ନୁହେଁ। ପ୍ରଧାନମନ୍ତ୍ରୀ ରାମ ଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବେ ସେତେବେଳେ ଆମେ ବାହାରେ ବସି ତାଳି ମାରିବୁ ଏହା ଆମଠାରୁ ଆଶା କରାଯାଏ କି? ଏକ ‘ଧର୍ମନିରପେକ୍ଷ’ ସରକାରଙ୍କ ଉପସ୍ଥିତି ପରମ୍ପରାର ବିନାଶର ଅର୍ଥ ନୁହେଁ।