ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପୁଣି ଏକ ବଡ଼ ଖବର ଆସିଛି । କାଇରୋର ଅଲ ଗାଡ ଚ୍ୟାନେଲର ଭିଡିଓ ସାମ୍ବାଦିକ ୟାଜାନ ଅଲ-ଜାୱାଇଡି ଗାଜାରେ ମୃତ୍ୟୁ ବରଣ କରିଛନ୍ତି । ଏହି ଚ୍ୟାନେଲ ତା ସାମ୍ବାଦିକଙ୍କୁ ଇସ୍ରାଏଲ ସେନା ହତ୍ୟା କରିଥିବାର ଅଭିଯୋଗ କରିଛି । ଗାଜାରେ ସାମ୍ବାଦିକଙ୍କ କ୍ରମାଗତ ମୃତ୍ୟୁକୁ ନେଇ ମିଳିତ ଜାତିସଂଘ ମଧ୍ୟ ଉଦ୍ବେଗ ପ୍ରକାଶ କରିଛି ।
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ତିନି ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ । ଇସ୍ରାଏଲ୍ କ୍ରମାଗତ ଭାବରେ ଗାଜାରେ ଏୟାର ଷ୍ଟ୍ରାଇକ୍ କରିଚାଲିଛି । ଯେଉଁଥିପାଇଁ ସେଠାରେ ବିନାଶର କଳା ବାଦଲ ଛାଇ ହେଇଯାଇଛି । ବର୍ତ୍ତମାନ ପର୍ୟ୍ୟନ୍ତ ସେଠାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଘର ଧୂଳିସାତ ହୋଇଯାଇଛି । ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ପତ୍ରକାର ମାନଙ୍କୁ ମଧ୍ୟ ହତ୍ୟା କରାଯାଉଛି । ଏହା ସହିତ ଅନେକ ସାମ୍ବାଦିକ ମଧ୍ୟ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ରବିବାର ଦିନ ଗାଜାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ।