ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଏମ୍ସ ବନ୍ଦ ନେଇ ଏକ ବଡ଼ ଖବର ଆସୁଛି । ଜାନୁଆରୀ ୨୨ ଅର୍ଥାତ ଆସନ୍ତା କାଲି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶର ସରକାରୀ କାର୍ୟ୍ୟାଳୟଗୁଡିକ ଅଧାଦିନ ଛୁଟି ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ପରେ କିଛି ରାଜ୍ୟ ସରକାର ମଧ୍ୟ ଏହାକୁ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ କେନ୍ଦ୍ର ବା ଏମ୍ସ ଅଧାଦିନ ବନ୍ଦ ରଖିବାକୁ ଅଧିକାରୀଙ୍କ ତରଫରୁ ଘୋଷଣା ହୋଇଥିଲା ।
ମାତ୍ର ଏହାକୁ ନେଇ ବିବାଦ ଦେଖାଦେବା ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ଏମ୍ସ କର୍ତ୍ତୁପକ୍ଷ । ଏନେଇ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି କି ଜାନୁଆରୀ ୨୨ ତାରିଖରେ ଏମ୍ସର ଓପିଡି ଖୋଲା ରହିବ । ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ ଜାନୁଆରୀ ୨୨ ତାରିଖରେ ଓପିଡି ରୋଗୀଙ୍କୁ ଦେଖାରଖା କରିବାକୁ ଏମ୍ସ ଖୋଲା ରହିବ । ଏହାସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକ ମଧ୍ୟ ଖୋଲା ରହିବ ।