ଭୁବନେଶ୍ୱର: ଚର୍ଚ୍ଚାରେ କଂଗ୍ରେସର ଅନଲାଇନ୍ ଟିକେଟ୍ ଫର୍ମୁଲା। ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ ପାଇବାକୁ ହେଲେ ଆଉ ଲବି କାମ ଦେବନାହିଁ। ଯେଉଁମାନେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଚାହିଁବେ ସେମାନେ ଅନ୍ଲାଇନ ଜରିଆରେ ନିଜର ଆବେଦନପତ୍ର ଦାଖଲ କରିପାରିବେ। ଏ ସମ୍ପର୍କିତ ଇ-ଫର୍ମ ଖୁବ୍ଶୀଘ୍ର ଅନ୍ଲାଇନରେ ଉପଲବ୍ଧ ହେବ। ଆସନ୍ତା ନିର୍ବାଚନରେ ଯେଉଁ ସ୍ଥାନ ପାଇଁ ୨ କିମ୍ବା ତା’ଠାରୁ ଅଧିକ ପ୍ରାର୍ଥୀ ଆବେଦନ କରିବେ ସେଠି ଯୋଗ୍ୟତା ଦେଖି ଟିକେଟ ଦିଆଯିବ। ପ୍ରଥମେ ନାମ ଚୟନ କରିବାପରେ ତାକୁ ପିଇସି(ପ୍ରଦେଶ ନିର୍ବାଚନ କମିଟି)କୁ ପଠାଯିବ। ଏହାପରେ ସେହି ନାଁକୁ ତର୍ଜମା କରିବା ପରେ ଟିକେଟ ଦିଆଯିବ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ ଓଡ଼ିଶା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି, ପିସିସି ସଭାପତି ଶରତ ପଟ୍ଟନାୟକ, ଟିକେଟ ବଣ୍ଟନ ପ୍ରକ୍ରିୟାର ଅଧ୍ୟକ୍ଷ ଭାବେ ନବନିଯୁକ୍ତି ପାଇଥିବା ପ୍ରବୀଣ ପାଠକଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ ରାଜ୍ୟ ଅତିଥି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ମଧୁସୂଦନ ନିକଟରେ ଦଳର ଟିକେଟ ବଣ୍ଟନ ପ୍ରକ୍ରିୟା ନେଇ କରିଥିବା ସମୀକ୍ଷା ବିଷୟରେ ମଧ୍ୟ ପ୍ରଭାରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ନିର୍ବାଚନ ଯେତିକି ପାଖଉଛି କଂଗ୍ରେସ ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ବିଶେଷ ଧ୍ୟାନ ଦେଉଥିବା ଭଳି ଜଣାପଡୁଛି।