ଆଜିଠୁ ବଜେଟ ଅଧିବେଶନର
ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବ। ଏହାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ। ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି।
ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ। ସ୍ୱଳ୍ପ ଅଧିବେଶନରେ ନୂଆ ଓ ପୁରୁଣା ପ୍ରସଙ୍ଗକୁ ନେଇ ଗୃହ ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ଗୃହକୁ ସୁରୁଖୁରୁରେ ଶେଷ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ କରି ଉଭୟ ବିରୋଧୀ ଓ ଶାସକଙ୍କ ସହଯୋଗ ଲୋଡିଛନ୍ତି।
ବିଧାନସଭା ବଜେଟ୍ ଅଧିବେଶନ ବେଳେ ଆନ୍ଦୋଳନ ଓ ବିକ୍ଷୋଭ ଆଦିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୨ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବା ବେଳେ, ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଟିମ୍, କ୍ବିକ୍ ଆକ୍ସନ ଟିମ୍, ଡଗ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗର ଟିମ୍ ଉପସ୍ଥିତ ରହିବେ। ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି। ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୮ଜଣ ଅତିରିକ୍ତ ଡିସିପି, ୧୬ଜଣ ଏସିପିଙ୍କ ସହ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହେବେ। ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟକୁ ଡାଇଭର୍ଟ କରାଯାଇଛି। ଅନ୍ୟପକ୍ଷରେ ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ। ସକାଳ ସାଢେ ୯ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ। ଅର୍ପଣ ରଥ, ଓଡ଼ିଆ ଭାଷା ପ୍ରଚାର ନାଁରେ ମହାମନିଷୀଙ୍କୁ ଅପମାନ, ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ଚାଷୀ ମୃତ୍ୟୁ ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି।