ଏ ବର୍ଷ କାଚିବ ବର୍ଷା

0

୨୦୨୩ରେ ପ୍ରବଳ ଗ୍ରୀଷ୍ମପ୍ରବାହ ପରେ ଆସନ୍ତା ଜୁନ୍‌ ସୁଦ୍ଧା ଏଲ୍‌ ନିନୋ ସ୍ଥିତି ଦୁର୍ବଳ ହେବାକୁ ଥିବାରୁ ଚଳିତବର୍ଷ ଭଲ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ପ୍ରଶାନ୍ତ ମହାସାଗରର ବିଷୁବ ମଣ୍ଡଳୀୟ ଅଞ୍ଚଳକୁ ଉତ୍ତପ୍ତ କରୁଥିବା ଏଲ୍‌ ନିନୋ ସାରା ବିଶ୍ୱର ପାଣିପାଗକୁ ପ୍ରଭାବିତ କରିଥାଏ। ତେବେ ଏହା ଦୁର୍ବଳ ହେବା ଆରମ୍ଭ କରିଛି ବୋଲି ଗତ ସପ୍ତାହରେ ବିଶ୍ୱର ଦୁଇଟି ଜଳବାୟୁ ସଂସ୍ଥା ଘୋଷଣା କରିଥିଲେ। ଏଥିସହିତ ଅଗଷ୍ଟ ସୁଦ୍ଧା ଲା ନିନା ସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି।

ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ଲା ନିନା ସ୍ଥିତି ଦେଖାଦେବାକୁ ଥିବାରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ଏଥିସହିତ ସେମାନେ ‘ସ୍ପ୍ରିଙ୍ଗ ପ୍ରେଡିକ୍ଟେବିଲିଟି ବାରିଅର’ ନେଇ ସତର୍କ କରାଇଛନ୍ତି, ଯାହା ପାଣିପାଗ ସମ୍ପର୍କରେ ଠିକ୍‌ ପୂର୍ବାନୁମାନ କରିବାରେ ଅନ୍ତରାୟ ସୃଷ୍ଟି କରିଥାଏ।

ଭୂବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମାଧବନ ରାଜୀବନଙ୍କ କହିବା ଅନୁଯାୟୀ, ଜୁନ୍‌-ଜୁଲାଇ ବେଳକୁ ଲା ନିନା ସୃଷ୍ଟି ହେବାର ଭଲ ସମ୍ଭାବନା ରହିଛି। ଏପରିକି ଏଲ୍‌ ନିନୋ ନିଷ୍କ୍ରିୟ ସ୍ଥିତିକୁ ପରିବର୍ତ୍ତନ ଜାରି ରହିଲେ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ଭଲ ରହିବ ବୋଲି ସେ କହିଛନ୍ତି। ଭାରତରେ ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ ଦକ୍ଷିଣ-ପଶ୍ଚିମ ମୌସୁମୀରୁ ମିଳିଥାଏ, ଯାହା କି ଦେଶର କୃଷି କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତର ଜିଡିପିକୁ କୃଷି କ୍ଷେତ୍ରର ଅବଦାନ ୧୪ ପ୍ରତିଶତ ହୋଇଥିବାବେଳେ ଏଥିରେ ଜନସଂଖ୍ୟାର ଅଧାରୁ ଅଧିକ ନିୟୋଜିତ ହୋଇଥାନ୍ତି।

Leave A Reply

Your email address will not be published.