ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ
ଆଜି ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ। ପାଣିପାଗ ସାଟେଲାଇଟ ଇନସାଟ୍-3DS ଉତକ୍ଷେପଣ ପାଇଁ ସରି ସରି ଆସୁଛି କାଉଣ୍ଟଡାଉନ। ଏହି ସାଟେଲାଇଟକୁ ସ୍ପେଶ୍ ଏଜେନ୍ସିର ‘ନଟି ବଏ'(Naughty Boy) ବୋଲି ମଧ୍ୟ କୁହାଯାଏ।
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଆଜି ସନ୍ଧ୍ୟା ୫ଟା ୩୫ରେ ଏହାର ଉତକ୍ଷେପଣ ହେବ। GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯିବ।
ଏହି ସାଟେଲାଇଟ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି ।
INSAT-3DS ହେଉଛି ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍। ଇସ୍ରୋର କହିବା ଅନୁଯାୟୀ, ଜିଓଷ୍ଟେସନାରୀ କକ୍ଷପଥରେ ପହଞ୍ଚିବା ପରେ ଏହି ଉପଗ୍ରହ ସହଜରେ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ସହ ପାଣିପାଗ ବାବଦରେ ପୂର୍ବାନୁମାନ କରିପାରିବ।