କୃଷି ଋଣ ଉପରୁ ସୁଧ ଛଡ଼ା କଲେ ସରକାର
ଏମଏସ୍ପି ଗ୍ୟାରେଣ୍ଟି ଦାବିରେ ଶମ୍ଭୁ ବର୍ଡର ଓ ଖାନାଉରି ବର୍ଡରରେ ହଜାର ହଜାର ସଂଖ୍ୟାରେ ଚାଷୀ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି। ଦାବି ପୂରଣ ନ ହେଲା ଯାଏ ପଛକୁ ହଟିବାର ପ୍ରଶ୍ନ ଉଠୁନି ବୋଲି ବି ସଫା ସଫା ଶୁଣାଇ ଦେଇଛନ୍ତି। ଏପରି ସମୟରେ ରାଜ୍ୟ ବଜେଟରେ ଚାଷୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଛନ୍ତି ହରିୟାଣାର ମନୋହର ଲାଲ ଖଟ୍ଟର ସରକାର।
ଖଟ୍ଟର ସରକାର ଆଜି ବଜେଟ ଆଗତ କରି କହିଛନ୍ତି, କୃଷି ନୀତି ଅନୁଯାୟୀ ଋଣ ନେଇଥିବା ରାଜ୍ୟର ସବୁ କୃଷକଙ୍କ ଉପରୁ ସୁଧ ଛାଡ଼ କରାଯିବ । ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଷୀମାନେ କରିଥିବା କୃଷି ଋଣ ଉପରୁ ସୁଧ ଛାଡ଼ କରାଯିବ । ଏହାବାଦ ଚାଷୀଙ୍କ ଉପରେ ଲାଗିଥିବା ଜରିମାନାକୁ ବି ଛାଡ଼ କରିଛନ୍ତି ଖଟ୍ଟର ସରକାର। ଚଳିତ ବର୍ଷ ମେ’ ମାସ ପର୍ଯ୍ୟନ୍ତ ଚାଷୀମାନେ ଏହି ସୁବିଧା ପାଇପାରିବେ। ଏହାପରେ କିନ୍ତୁ ନୂଆ ଭାବେ ଲାଗିବାକୁ ଥିବା ଋଣ ଓ ଜରିମାନା ଅର୍ଥ ଦେବାକୁ ପଡ଼ିବ ।
ଚାଷୀମାନେ ମୁଖ୍ୟତଃ ଏମଏସ୍ପି ଗ୍ୟାରେଣ୍ଟି ଦାବିରେ ଏହି ଆନ୍ଦୋଳନ ଚଳାଇଥିବା ବେଳେ ସେମାନଙ୍କୁ ସୁହାଇଲା ପରି ଘୋଷଣା କରିଛନ୍ତି ଖଟ୍ଟର ସରକାର । ଲଗାତର ଭାବେ ପଞ୍ଚମ ଥର ପାଇଁ ବଜେଟ ଆଗତ କରିଥିବା ମନୋହର ଖଟ୍ଟର କହିଛନ୍ତି, ରାଜ୍ୟ ସରକାର ଚଳିତ ବର୍ଷ ୧୪ ପ୍ରକାର ଫସଲକୁ ଏମଏସ୍ପିରେ କିଣିବେ।
ଏଥିସହ ହରିୟାଣା ସରକାର ଏକ ଅନଲାଇନ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ନିଜ ଫସଲ ନଷ୍ଟ ସମ୍ପର୍କୀତ ତଥ୍ୟ ଏହି ପୋର୍ଟାଲରେ ଅପଲୋଡ୍ କରି ପାରିବେ। ଏଯାବତ ଫସଲ ନଷ୍ଟ ବାବଦକୁ ହରିୟାଣା ସରକାର ୨୯୭ କୋଟି ଟଙ୍କା ଆର୍ଥିକ ସହାୟତା ଦେଇ ସାରିଥିବା କହିଛନ୍ତି।