ଭୁବନେଶ୍ୱର (ଆମ ଟିଭି): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାର ଦ୍ୱିତୀୟ ଭାଷା ଇଂଲିଶରେ ୪୨ ଜଣ ପରୀକ୍ଷାର୍ଥୀ ଶୁକ୍ରବାର ମାଲପ୍ରାକ୍ଟିସ୍(ଏମ୍ପି) ହୋଇଛନ୍ତି। ସେମାନେ ପରୀକ୍ଷା ହଲ୍ରେ ଅସତ୍ ଉପାୟ ଅବଲମ୍ବନ କରି ଉତ୍ତର ଲେଖୁଥିବାବେଳେ ସ୍କ୍ବାଡ୍ ହାତରେ ଧରାପଡ଼ିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଅନୁଷ୍ଠିତ ମାତୃଭାଷା ପରୀକ୍ଷାରେ ମୋଟ୍ ୧୦ ପରୀକ୍ଷାର୍ଥୀ ଏମ୍ପି ହୋଇଥିଲେ। ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ୪୨ଟି ସ୍ପେଶାଲ ସ୍କ୍ବାଡ୍, ୭୨ ଫ୍ଲାଇଂ ସ୍କ୍ବାଡ୍ ଓ ଜିଲା ପ୍ରଶାସନ ସ୍ତରରେ ଗୋଟିଏ ଲେଖାଏ ସ୍ବତନ୍ତ୍ର ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି।
ସିସିଟିଭି ଜରିଆରେ ଆର୍ଟିଫିସିଆଲ ସର୍ଭିଲେନ୍ସ (ଏଆଇ) ଉପଯୋଗରେ ପରୀକ୍ଷା ପରିଚାଳନାକୁ ବୋର୍ଡ ମୁଖ୍ୟାଳୟରୁ ନିୟନ୍ତ୍ରଣ କରାଯାଉଛି। ପ୍ରଥମ ଦିନ ପରୀକ୍ଷାରେ କେତେକ ଅବ୍ୟବସ୍ଥା ଏଆଇ ମାଧ୍ୟମରେ ଧରାପଡ଼ିଥିଲା। ବୋର୍ଡ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏ ବାବଦରେ ଚିଠି ଦ୍ୱାରା ଅବଗତ କରାଯିବା ପରେ ସମ୍ପୃକ୍ତ ଜିଲାର ଜିଲା ଶିକ୍ଷାଧିକାରୀମାନେ ଏନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ୍ ପରୀକ୍ଷା ସୂଚୀ ଅନୁଯାୟୀ, ଆସନ୍ତା ୨୬ରେ ଗଣିତ, ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ ଓ ୪ ତାରିଖରେ ସାମାଜିକ ବିଜ୍ଞାନ ବିଷୟ ପରୀକ୍ଷା ହେବ।