ଶେଷରେ ବୁଝିଲେ କେଜ୍ରିୱାଲ, ଇଡିରେ ହେବେ ହାଜର

0

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଷ୍ଟମ ସମନ ଉପରେ ଜବାବ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅଷ୍ଟମ ଡାକରାକୁ ବେଆଇନ ଦର୍ଶାଇ ଥିଲେ ବି ମାର୍ଚ୍ଚ ୧୨ ପରେ ତଦନ୍ତକାରୀ ସଂସ୍ଥାର ପ୍ରଶ୍ନର ସାମ୍ନା କରିବେ ବୋଲି କହିଛନ୍ତି କେଜ୍ରିୱାଲ।

ଭିଡିଓ କନଫରେନ୍ସିଂ ଜରିଆରେ କେଜ୍ରିୱାଲ ଇଡି ପ୍ରଶ୍ନର ସାମ୍ନା କରିବେ ବୋଲି ଆପ୍ ପକ୍ଷରୁ କୁହାଯାଇଛି। ଫେବୃଆରୀ ୨୭ରେ ଇଡି ଅଷ୍ଟମ ଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇ ମାର୍ଚ୍ଚ ୪ରେ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ କେଜ୍ରିୱାଲ ଆଜି ଇଡି ଅଫିସ୍ ନ ଯାଇ, ଫେବୃଆରୀ ୧୨ ପରେ ସମସ୍ତ ପ୍ରଶ୍ନର ମୁକାବିଲା କରିବେ ବୋଲି କହିଛନ୍ତି।

ପ୍ରକାଶ ଥାଉ କି, ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଇଡି ସାତ ଥର ସମନ ପଠାଇ ସାରିଛି। ଏ ସମସ୍ତ ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ଇଡି ଅଫିସରେ ହାଜର ହେଉନଥିଲେ କେଜ୍ରିୱାଲ। ଫଳରେ ଷଷ୍ଠ ସମନ ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଡି। ସେତେବେଳେ ବିଧାନସଭା ଅଧିବେଶନ ଚାଲିଥିବାରୁ ଭିଡିଓ କନଫରେନ୍ସିଂ ଜରିଆରେ ଅଦାଲତଙ୍କ ପ୍ରଶ୍ନର ସାମ୍ନା କରିଥିଲେ କେଜ୍ରିୱାଲ।

ଏ ଉପରେ ଆସନ୍ତା ମାର୍ଚ୍ଚରେ ଶୁଣାଣି କରାଯିବ। ଏହାରି ମଧ୍ୟରେ ଇଡି କେଜ୍ରିୱାଲଙ୍କୁ ଆଉ ଦୁଇ ଥର ସମନ ପଠାଇ ସାରିଛି। ଫଳରେ ଆପ୍ କହିଥିଲା, ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଇଡି ଅଯଥା ସମନ ନ ପଠାଇ ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁ।

Leave A Reply

Your email address will not be published.