ଆଜି ଓଡ଼ିଶା ଆସୁଛନ୍ତି ମୋଦି: ୧୯,୬୦୦ କୋଟି ଦେବେ ଭେଟି

0

ଭୁବନେଶ୍ବର(ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୨ଟା ୪୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ ମିନିଟ୍‌ରେ ଲୋକାର୍ପଣ ଓ ଶିଳାନ୍ୟାସ ଆଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ୩ଟା ୩୦ ମିନିଟ୍‌ରେ ପାଖ ପଡ଼ିଆରେ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି’ ବିଶାଳ ସଭାରେ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ସଭାରେ ଉକ୍ତ ଅଞ୍ଚଳବାସୀଙ୍କୁ ଉପସ୍ଥିତ ରହିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ଅନୁରୋଧ କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇପାରନ୍ତି ବୋଲି ଜଣାପଡ଼ିଛି।

ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, ମୋଦି ଚଣ୍ଡିଖୋଲରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଓଡ଼ିଶାର ପ୍ରାଚୀନ ସଂସ୍କୃତି, ଗରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପହଞ୍ଚାଇଛନ୍ତି। ମୋଦି ୨୦୧୯ରେ ରାଜ୍ୟବାସୀଙ୍କୁ କହିଛନ୍ତି, ‘ସେ ଆପଣଙ୍କ ଭଲ ପାଇବାକୁ ସୁଧ ସହିତ ଫେରାଇବେ’। ଗତ ୧୦ ବର୍ଷରେ ମୋଦି ସରକାର ‘ଓଡ଼ିଶାର ବିକାଶ ପାଇଁ ୧୮.୮୩ ଲକ୍ଷ କୋଟି ଟଙ୍କା ଦେଲେ ଏବଂ ଓଡ଼ିଆଙ୍କୁ ଅଗ୍ରାଧିକାର ଓ ଉପଯୁକ୍ତ ମର୍ଯ୍ୟାଦା ଦେଲେ’। ଓଡ଼ିଆଙ୍କ ପାଇଁ ମୋଦିଙ୍କ ମର୍ଯ୍ୟାଦାକୁ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟବାସୀ ଲୋକ ସଭା ଓ ବିଧାନସଭା ଆସନରେ ଆଶୀର୍ବାଦ ଦେଇ ୩ୟ ଥର ପ୍ରଧାନମନ୍ତ୍ରୀ ଭାବେ ବିଜୟମୁକୁଟ ପିନ୍ଧାଇ ସ୍ବାଗତ କରିବେ। ମୋଦି ଯାହା କହନ୍ତି ତାହା କରନ୍ତି, ଏହା ହିଁ ମୋଦି ଗ୍ୟାରେଣ୍ଟି। ଚଣ୍ଡିଖୋଲ ଜନସଭାରେ ମୋଦିଙ୍କ ଉଦ୍‌ବୋଧନ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଊର୍ଜା ଯୋଗାଇବ ବୋଲି ମନମୋହନ କହିଛନ୍ତି।

Leave A Reply

Your email address will not be published.