ଡିକେ ଶିବ କୁମାରଙ୍କୁ ବଡ଼ ଆଶ୍ୱସ୍ତି

0

କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ହେଭିୱେଟ ଡିକେ ଶିବ କୁମାରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଠିକ ଲୋକସଭା ନିର୍ବାଚନ ପୂର୍ବରୁ ଆଜି ସୁପ୍ରିମକୋର୍ଟ ତାଙ୍କ ନାଁରେ ଥିବା ମନି ଲଣ୍ଡରିଂ ମାମଲାକୁ ରଦ୍ଦ କରି ଦେଇଛନ୍ତି।

୨୦୧୮ରେ ଶିବକୁମାରଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ଇଡି। ଡିକେ ଶିବକୁମାର ଟିକସ ପାଙ୍କିବା ସହ ହାୱାଲା ନେଣଦେଣ ଜରିଆରେ କୋଟି କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମାମଲାରେ ଡିକେ ଶିବକୁମାରଙ୍କୁ ୨୦୧୯ ମସିହା ସେପ୍ଟେମ୍ବର ମାସରେ ଇଡି ଗିରଫ କରିଥିଲା। ଗୋଟିଏ ମାସ ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ।

ସେହି ସମୟରେ ଶିବ କୁମାର ଗିରଫଦାରୀ ପାଇଁ ବିଜେପିକୁ ଦାୟୀ କରିଥିଲେ। ବିଜେପି ରାଜନୀତିକ ଆକ୍ରୋଶ ରଖି ତାଙ୍କୁ ଗିରଫ କରିଛି ଓ ନ୍ୟାୟପାଳିକା ଉପରେ ତାଙ୍କର ପୂରା ବିଶ୍ୱାସ ରହିଛି। ଏବେ ସତକୁ ସତ ସୁପ୍ରିମକୋର୍ଟ ତାଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାକୁ ରଦ୍ଦ କରି ଦେଇଛନ୍ତି।

ପ୍ରଥମେ ୨୦୧୭ରେ ଆୟକର ବିଭାଗ ଶିବକୁମାର ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ରେଡ କରିଥିଲା। ଏହାପରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ସେତେବେଳେ ତଦନ୍ତକାରୀ ଅଧିକାରୀମାନେ ଦାବି କରିଥିଲେ ଯେ ରେଡ ବେଳେ ୩୦୦ କୋଟି ଟଙ୍କା ଜବତ ହୋଇଛି। ତେବେ ଜବତ ଟଙ୍କାର ଲିଙ୍କ ବିଜେପି ସହ ଥିବା ଶିବକୁମାର କହିଥିଲେ।

Leave A Reply

Your email address will not be published.