ହାଇକୋର୍ଟ ନିର୍ଦ୍ଦେଶରେ ଲାଗିବନି ରୋକ୍

0

ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ଜାରି ରଖିବ ସିବିଆଇ। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଜାରି ରଖିଛି। ତେବେ ଏହା ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି।

ତଥାପି ସିବିଆଇ ତଦନ୍ତ ନିର୍ଦ୍ଦେଶ ବେଳେ ହାଇକୋର୍ଟ ପଶ୍ଚିମବଙ୍ଗ ପୁଲିସ୍‌ ସମ୍ପର୍କରେ ଦେଇଥିବା ବୟାନଗୁଡ଼ିକୁ ହଟାଇ ଦେଇଛନ୍ତି। ଆଜି ଶୁଣାଣି ବେଳେ କ’ଣ ପାଇଁ ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କ ଗିରଫଦାରୀରେ ବିଳମ୍ବ ହେଲା ବୋଲି ରାଜ୍ୟ ସରକାରଙ୍କୁ ପଚାରିଥିଲେ। ଏହାପରେ ପଶ୍ଚିମବଙ୍ଗ ସରକାର ସିବିଆଇ ତଦନ୍ତ ବିରୋଧରେ କରିଥିବା ଆବେଦନରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ।

ଚଳିତ ମାସ ଆରମ୍ଭରେ କଲିକତା ହାଇକୋର୍ଟ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ସିବିଆଇ କରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହିପରି ବେଙ୍ଗଲ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ଶେଖ ଶାହଜାହାଁଙ୍କୁ ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ କହିଥିଲେ। ଏହି ସମୟରେ ବେଙ୍ଗଲ ପୁଲିସ୍‌ ଲୁଚକାଳି ଖେଳୁ ଥିବା ହାଇକୋର୍ଟ ଟିପ୍ପଣୀ କରିଥିଲେ।

ହାଇକୋର୍ଟ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ କହିଥିଲେ ହେଁ ପ୍ରଥମେ ବେଙ୍ଗଲ ପୁଲିସ୍‌ ଏହାକୁ ଖାତିର କରି ନଥିଲା। ଏହାକୁ ନେଇ ପୁଣି କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। କୋର୍ଟଙ୍କ ତାଗିଦ ପରେ ବେଙ୍ଗଲ ପୁଲିସ୍‌ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିଥିଲା।

Leave A Reply

Your email address will not be published.