ତାମିଲନାଡୁ (ଆମ ଟିଭି): ତାମିଲନାଡୁର କୋଏମ୍ବାଟୁରରେ ରୋଡ୍ଶୋ’ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ନାହିଁ ଅନୁମତି। କିଛି ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ଆସିଛି। ମାର୍ଚ୍ଚ ୧୮ ତାରିଖରେ କୋଏମ୍ବାଟୁରରେ ଏକ ରୋଡ୍ଶୋ’ କରିବାକୁ ବିଜେପି ପକ୍ଷରୁ କୋଏମ୍ବାଟୁର ଜିଲ୍ଲା ପ୍ରଶାସନକୁ ଅନୁମତି ମଗାଯାଇଥିଲା। ହେଲେ ୩.୬ କିଲୋମିଟରର ଏହି ରୋଡ୍ଶୋ’ ପାଇଁ ଅନୁମତି ଦେବାକୁ କୋଏମ୍ବାଟୁର ଜିଲ୍ଲା ପୁଲିସ୍ ମନା କରି ଦେଇଛି।
ବିଭିନ୍ନ କାରଣ ଦର୍ଶାଇ ପୁଲିସ୍ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଜିଲ୍ଲା ପୁଲିସ୍ ପକ୍ଷରୁ ଦର୍ଶାଯାଇଥିବା ବିଭିନ୍ନ କାରଣ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ। ତା’ ସହିତ କୋଏମ୍ବାଟୁରର ସାଂପ୍ରଦାୟିକ ଇତିହାସକୁ ଦୃଷ୍ଟିରେ ରଖିଲେ ଏହି ରୋଡ୍ଶୋ’ ପାଇଁ ଅନୁମତି ଦେବା ଠିକ ହେବ ନାହିଁ ବୋଲି ପୁଲିସ୍ କହିଥିବା ସୂଚନା ମିଳିଛି। ସେହିପରି ସାଧାରଣ ଜନତା (ବିଶେଷ କରି ଛାତ୍ରଛାତ୍ରୀ)ଙ୍କୁ ଏହି ରୋଡ୍ଶୋ’ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଦର୍ଶାଇ ଅନୁମତି ଦେବାକୁ ମନା କରି ଦେଇଛି କୋଏମ୍ବାଟୁର ଜିଲ୍ଲା ପୁଲିସ।