ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ ହେବା ଘଟଣାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି, ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ଏକ ମିଛ କଥା । ଭାରତର ସବୁଠୁ ବଡ ପାର୍ଟିର ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି । ଆଜି କଂଗ୍ରେସ ପାଖରେ ୨ ଟଙ୍କା ବି ନାହିଁ, ନେତାମାନଙ୍କର ସାହାଯ୍ୟ କରିବାକୁ । ଏମିତି କି ଟିକେଟ୍ କିଣିବାକୁ ମଧ୍ୟ ଦଳ ପାଖରେ ଟଙ୍କା ନାହିଁ ବୋଲି ରାହୁଲ କହିଛନ୍ତି ।
ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ସମସ୍ତ ଲୋକ ଜାଣିଛନ୍ତି, ଯେତେବେଳେ କାହାର ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ୍ କାର୍ଡକୁ ଫ୍ରିଜ୍ କରାଯାଏ, ସେତେବେଳେ କେତେ ଅସୁବିଧା ହେଇଥାଏ । ଯଦି ଏପରି ଘଟଣା ଗୋଟିଏ ପରିବାର ସହ ହୁଏ, ତେବେ ସେ ପରିବାର ଭୋକରେ ମରିଯିବ । କୌଣସି ବ୍ୟବସାୟୀ ସହ ହେଲେ, ସେ ବର୍ବାଦ ହେଇଯିବ । ସେହିଭଳି ସମାନ ଘଟଣା ଏବେ କଂଗ୍ରେସ ସହିତ କରାଯାଉଛି । ଯାହା ଫଳରେ କି ଆମେ ଆମ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଟଙ୍କା ଦେଇପାରୁନୁ ବୋଲି ରାହୁଲ କହିଛନ୍ତି ।