ଭୁବନେଶ୍ୱର (ଆମ ଟିଭି ): ରାଉରକେଲାରୁ ବିଜେପି ପ୍ରାର୍ଥୀ ହେଇପାରନ୍ତି ଦିଲ୍ଲୀପ ରାୟ । ଦଳୀୟ ଘୋଷଣା ପୂର୍ବରୁ ପ୍ରଚାର ବେଳେ ଏନେଇ ଇସାରା ଦେଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । କହିଛନ୍ତି, ରାଉରକେଲା ବିଧାନସଭା ଆସନ ପାଇଁ କୌଣସି ମୁହୁର୍ତ୍ତରେ ପ୍ରାର୍ଥୀତ୍ୱ ଘୋଷଣା ହୋଇପାରେ । ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇସାରିଛି । ସେ ନିର୍ବାଚନ ଲଢିବା ନେଇ ଦିଲ୍ଲୀ ହାଇକୋର୍ଟ ସବୁଜ ସଙ୍କେତ ଦେଇ ସାରିଛନ୍ତି । ତେଣୁ ସେ ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ।
ତଳସରା ନିର୍ବାଚନ ମଣ୍ଡଳିର ସବଡେଗାରେ ନିର୍ବାଚନୀ ପ୍ରଚାର ବେଳେ ଏହି ସୂଚନା ଦେଇଛନ୍ତି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ତେବେ ୨୦୧୮ରେ ବିଜେପି ଛାଡ଼ିଥିଲେ ଦିଲ୍ଲୀପ ରାୟ । ଏହି ସମୟରେ ସେ ବିଜେପିର ରାଉରକେଲା ବିଧାୟକ ଥିଲେ । ୧୯୯୯ ମସିହାରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ଏହି ସମୟରେ କୋଇଲା ଦୁର୍ନୀତି ହୋଇଥିଲା । ପରେ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ସେ କୋର୍ଟର ଦ୍ୱାରସ୍ଥ ହୋଇ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ ଲଗାଇବା ସହ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ପାଇବାରେ ସଫଳ ହୋଇଛନ୍ତି ।