କଂଗ୍ରେସରୁ ବିଦା ହେଲେ ସୁର
ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ପୁତ୍ରମୋହ ମହଙ୍ଗା ପଡ଼ିଛି । ନିଜକୁ ସଚ୍ଚୋଟ କଂଗ୍ରେସ ବୋଲି ଦାବି କରି ବିଜେଡିର ସାଂସଦ ପ୍ରାର୍ଥୀ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବାକୁ କଂଗ୍ରେସ ଗୁରୁତ୍ୱର ସହ ନେଇଛି । ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ଦଳରୁ ବହିଷ୍କାର କରିଛି । ସୁରଙ୍କ ଦୋମୁହାଁ ଚରିତ୍ର ପଦାରେ ପଡ଼ିବା ସହ ତାଙ୍କର ରାଜନୀତିକ କ୍ୟାରିୟର ଶେଷାର୍ଦ୍ଧରେ କଂଗ୍ରେସରୁ ଏଭଳି ଅପମାନିତ ହେବାକୁ ପଡ଼ିଛି ।
ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ୩ଧାଡ଼ିଆ ପ୍ରେସ୍ ରିଲିଜରେ, ସୁରେଶ କୁମାର ରାଉତରାୟଙ୍କୁ ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ୬ବର୍ଷ ନିମନ୍ତେ ବହିଷ୍କାର କରାଯାଇଛି । ଏହା ସୁରଙ୍କ ପାଇଁ ଶକ୍ତଧକ୍କା ହୋଇଛି । କଂଗ୍ରେସରେ ରହି ନିଜ ପୁଅ ବିଜେଡି ପ୍ରାର୍ଥୀ ମନ୍ମଥଙ୍କ ସପକ୍ଷରେ ଭୋଟ ସଂଗ୍ରହ କରିବାର ଫର୍ମୂଲା ମଧ୍ୟ ସୁରଙ୍କ ଫେଲ ମାରିଛି । ଏପଟେ କଂଗ୍ରେସ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ଅଣ୍ଟା ଭିଡ଼ିଛି ।