ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ ନ ମିଳିବା ଆଶଙ୍କାରେ ଦଳ ଡିଆଁ ମାରୁଛନ୍ତି। ଏବେ ଚର୍ଚ୍ଚା ହେଉଛି ଯେ ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ ବିଜୁ ଜନତା ଦଳ ଛାଡ଼ିପାରନ୍ତି। କିଛିଦିନ ତଳେ ସେ ଚିଲିକା ଆସନରୁ ଲଢ଼ିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଟିକେଟ ଘୋଷଣା ନ ହେବା ଏବଂ କୌଣସି ସ୍ପଷ୍ଟ ସିଗନାଲ ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପାଟ୍ଟଶାଣୀ ଗୁରୁବାର ନବୀନ ନିବାସ ଯାଇଥିଲେ। ସେଠାରୁ ଫେରିବା ପରେ ସେ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଛି। ଏପରିକି ଗୁରୁବାର ରାତିରେ ସେ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ହେଉଥିଲା । ତେଣୁ ଶୁକ୍ରବାର ପାଟ୍ଟଶାଣୀ କିଛି ବଡ଼ ଘୋଷଣା କରିପାରନ୍ତି। ଭୁବନେଶ୍ୱରରୁ ଲଗାତାର ୫ ଥର ଏମପି ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ରେ ବିଜେଡି ଟିକଟ ମିଳି ନଥିଲା। ପରେ ସେ ରାଜ୍ୟସଭା ଯିବାକୁ ଆଶାୟୀ ଥିଲେ । ମାତ୍ର ତାଙ୍କ ଆଶା ପୂରଣ ହୋଇନଥିଲା ।

ତେବେ ଚଳିତ ଥର ବିଧାନସଭା ନିର୍ବାଚନ ପାଇଁ ଚିଲିକାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କିଛି ଦିନ ପରେ ଏ ଚର୍ଚ୍ଚା ଥମି ଯାଇଥିଲା। ନିକଟରେ ପାଟ୍ଟଶାଣୀଙ୍କ କ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀଙ୍କୁ ଭାଜପା ପ୍ରାର୍ଥୀ କରିଛି। ତେଣୁ ପାଟ୍ଟଶାଣୀ ମଧ୍ୟ ଭାଜପାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏନେଇ କୌଣସି କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.