ନୂଆଦିଲ୍ଲୀ: କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ୨ ଓଡ଼ିଆଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପଦ୍ମଶ୍ରୀ ସମ୍ମାନରେ ପୁରସ୍କୃତ ହୋଇଥିବା ଦୁଇ ଓଡ଼ିଆ ହେଲେ- ସମ୍ବଲପୁରର ପ୍ରଖ୍ୟାତ ଲୋକ ସାହିତ୍ୟିକ, ଲେଖକ ଓ ଗୀତିକାର ବିନୋଦ କୁମାର ପଶାୟତ ଓ ୧୦୬ ବର୍ଷୀୟ କୃଷ୍ଣଲୀଳା ସଙ୍ଗୀତର ଗାୟକ ଗୁରୁ ଗୋପୀନାଥ ସ୍ବାଇଁ। ରାଷ୍ଟ୍ରପତି ଭବନର ଦରବାର ହଲରେ ଆଜି ସଂଧ୍ୟାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ପଦ୍ମପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୩ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ ଓ ୫୫ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।
ଶ୍ରୀ ପଶାୟତ ସ୍ବାସ୍ଥ୍ୟଗତ କାରଣରୁ ହ୍ବିଲ୍ ଚେୟାରରେ ପୁରସ୍କାର ଗ୍ରହଣ ପାଇଁ ଆସିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୁରସ୍କାର ପ୍ରଦାନ କରୁଥିବା ମଞ୍ଚରୁ ତଳକୁ ଆସି ଶ୍ରୀ ପଶାୟତଙ୍କୁ ସମ୍ମାନିତ କରିଥିଲେ। ସେହିଭଳି ଗୁରୁ ଗୋପୀନାଥ ସ୍ବାଇଁ ସମ୍ମାନ ଗ୍ରହଣ କଲାବେଳେ ରାଷ୍ଟ୍ରପତିଙ୍କ ପାଦ ଛୁଇଁଥିଲେ। ଦୁଇ ଓଡ଼ିଆ ରାଷ୍ଟପତିଙ୍କ ଠାରୁ ପଦ୍ମ ସମ୍ମାନ ଗ୍ରହଣ କରିବା ସମୟରେ ଦରବାର ହଲ୍ କରତାଳିରେ କମ୍ପି ଉଠିଥିଲା। ଶ୍ରୀ ସ୍ବାଇଁ ସମ୍ମାନ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଯାଇ ତାଙ୍କୁ ନମସ୍କାର କରିଥିଲେ। ରାଷ୍ଟ୍ରପତିଙ୍କ କରକମଳରୁ ପୁରସ୍କାର ଗ୍ରହଣ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଦୁଇ ଓଡ଼ିଆ। ପ୍ରତିକ୍ରିୟାରେ ସେମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଥିଲେ।
ଆଜିର ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପଦ୍ମବିଭୂଷଣରେ ସମ୍ମାନିତ ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଦିଲ୍ଲୀ ଉପରାଜ୍ୟପାଳ ବିକେ ସାକସେନାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ୨୦୨୪ ମସିହା ପାଇଁ କଳା କ୍ଷେତ୍ରରେ ଓଡ଼ିଶାର ଚାରି ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ଦୁଇଜଣଙ୍କୁ ପୁରସ୍କୃତ କରାଯିବ।