ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଛତିଶଗଡ ମୁଖ୍ୟମନ୍ତ୍ରୀ

0

ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ।

ସୂଚନା ଅନୁସାରେ, ଦିନ ୧୨ଟା ୪୦ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁଲିସ ଗ୍ରାଉଣ୍ଡରେ ପହଞ୍ଚିବେ ରାଜନାଥ ସିଂହ। ଦିନ ଗୋଟାଏରେ ସ୍ଥାନୀୟ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାରେ ଉଦବୋଧନ ଦେବେ। ଏଥିରେ ଜିଲ୍ଲା ବିଜେପି ସଭାପତି, ଜିଲ୍ଲା ବିଜେପି ପ୍ରଭାରୀ, କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓଙ୍କ ସମେତ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ମାନେ ଯୋଗଦେବେ।

ଏହାପରେ ଅପରାହ୍ନ ୨ଟା ୪୦ରେ ଭବାନୀପାଟଣାର କାର୍ଯକ୍ରମ ସାରି ରାୟଗଡ଼ା ଅଭିମୁଖେ ଯାତ୍ରା କରିବେ ରାଜନାଥ। ଅପରାହ୍ଣ ୩ଟା ୧୦ରେ ରାୟଗଡ଼ା ସହର ବାରିଝୋଲା ରୋଡ୍ IACR ଗ୍ରାଉଣ୍ଡରେ ଜନସଭାକୁ ସମ୍ବୋଧିତ କରିବେ ରାଜନାଥ।

ସେଠାରେ ସେ ପ୍ରାୟ ୧ ଘଣ୍ଟା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ରାଜନାଥଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ବିଜେପି ଶିବିରରେ ଉତ୍ସାହ ଖେଳିଯାଇଥିବା ବେଳେ, ସଭାର ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଆଜି କୋରାପୁଟ ଜିଲ୍ଲାର ୩ଟି ସ୍ଥାନରେ ସଭା କରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ। ଏହାପରେ ଆସନ୍ତାକାଲି ନବରଙ୍ଗପୁରରେ ବି ୩ ସଭା କରିବେ ବିଷ୍ଣୁଦେଓ।

Leave A Reply

Your email address will not be published.