ଭୁବନେଶ୍ୱର (ଆମ ଟିଭି); ଆସ୍କାରେ ବିଜେଡିର ପ୍ରଚାର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ଆସ୍କା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି । ତାଙ୍କ ସହ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍ ମଧ୍ୟ ଆସ୍କାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ।
ଆସ୍କାରେ ଜନସଭାକୁ ସମ୍ବୋଧିତ କରି ନବୀନ, ବିରୋଧୀଙ୍କୁ ଟାର୍ଗେଟ କରିଥିବାବେଳେ, ବିରୋଧୀମାନେ ମିଛ କଥା କହୁଛନ୍ତି ଏବଂ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ । ଏହାପରେ ଭିକେ ପାଣ୍ଡିଆନ୍ କହିଥିଲେ, ଆଜି ସନ୍ଧ୍ୟାରେ ବିଜେଡିର ମାନିଫେଷ୍ଟୋ ଆସିବ । ଓଡିଶାର ବିକାଶକୁ ଆଗେଇ ନେବ ଏହି ମାନିଫେଷ୍ଟୋ, ଓଡିଶାକୁ ସଶକ୍ତ କରିବ ଏହି ମାନିଫେଷ୍ଟୋ । ଓଡିଶାର ଯୁବପୀଢିଙ୍କ ଭବିଷ୍ୟତ ଉଜ୍ଜଳ କରିବା ସହିତ କଲେଜର +୩ ପିଲାମାନେ,ପିଜି ପିଲାମାନେ, ଡିପ୍ଲୋମା ପିଲାମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ବହୁତ ବଡ ଖୁସି ଖବର ଦେବେ ବୋଲି ପାଣ୍ଡିଆନ୍ କହିଥିଲେ । ଖାଲି ସେତିକି ନୁହେଁ, ଓଡିଶାବାସୀ ମଧ୍ୟ ବିଜେଡିର ମାନିଫେଷ୍ଟୋ ଦେଖି ଖୁସି ହେବେ । ଛାତ୍ରଛାତ୍ରୀମାନେ ମଧ୍ୟ ଖୁସି ହେବେ ବୋଲି ସେ କହିଛନ୍ତି ।
ଏଥିସହିତ ସେ କହିଥିଲେ, ଆସ୍କା ମାଟିକୁ ମୋର ମୁଣ୍ଡିଆ, ମୋର ପ୍ରଣାମ । କାହିଁକି ନା, ଜଣେ ମହାନ ଜନନାୟକଙ୍କ ରାଜନୈତିକ ଯାତ୍ରା ଏହି ମାଟିରୁ ଆରମ୍ଭ ହେଇଛି । ସେହି ମହାନ ଜନନାୟକ ହେଉଛନ୍ତି ନବୀନ ପଟ୍ଟନାୟକ । ଦେଶର ଅନେକ ରାଜନୈତିକ ଦଳ ଅଛି, ବଡ ବଡ ନ୍ୟାସନାଲ ପାର୍ଟି ଅଛନ୍ତି । ସମସ୍ତେ କୁହନ୍ତି ଆମେ ମହିଳାଙ୍କୁ ସଶକ୍ତ କରିବୁ, ମହିଳାଙ୍କୁ ଆଗକୁ ନେବୁ । କିନ୍ତୁ ଏଇ ମାଟିରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ନବୀନ ବାବୁ ଯାହା କୁହନ୍ତି, ତାହା କରିକି ଦେଖାନ୍ତି ।