ପୁଣି ବିଜେଡିକୁ ଟାର୍ଗେଟ କରି ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ
ମୁଁ ଜଣେ ମୁଖ୍ୟମନ୍ତ୍ରୀ। ମୁଁ ତ ଏକୁଟିଆ ସବୁ ସ୍ଥାନକୁ ଯାଉଛି। ଏକୁଟିଆ ଲୋକଙ୍କ ସହ କଥା ହୋଇ ପାରୁଛି। ଲୋକଙ୍କୁ ସାକ୍ଷାତ କରି ପାରୁଛି। କାହାର ସାହସ ନାହିଁ ମାଇକ୍ ଧରି ମୋତେ କୁହାଇବାକୁ’ । ଆଜି ପୁଣିଥରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଏପରି ଭାବେ ସାଂଘାତିକ ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏଥିସହ ନବୀନ ବାବୁ ପାଣ୍ଡିଆନଙ୍କ ବିନା ଓଡ଼ିଶା ଗଣମାଧ୍ୟମ ସହ ଏକୁଟିଆ ଅଧ ଘଣ୍ଟା କଥା ହେବା ଉଚିତ ବୋଲି ବି ଖୋଲାଖୋଲି ଭାବେ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।
ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ଆଜି ପୁଣି ଥରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆଜି ତାଙ୍କର ମାରାଥନ ପ୍ରଚାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା। ମନ୍ଦିରରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ନେଇ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କ ଉପରେ କଡ଼ା ହମଲା କରିଛନ୍ତି ହିମନ୍ତ ବିଶ୍ୱଶର୍ମା।
ସେ କହିଛନ୍ତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକୁଟିଆ କାହାକୁ ସାକ୍ଷାତ କରି ପାରୁ ନାହାନ୍ତି କି କାହା ସହ କଥା ହୋଇପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ନିଜେ ପାଣ୍ଡିଆନଙ୍କ ପାଖରେ ରହୁଛନ୍ତି, ନା ପାଣ୍ଡିଆନ କିଛି ଖେଳ ଖେଳିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ କବଳରୁ ମୁକୁଳି ପାରୁ ନାହାନ୍ତି ତାହା ଚିନ୍ତାର ବିଷୟ। ହାଇକୋର୍ଟ ମୁଖ୍ୟ ବିଚାରପତି, ବିଚାରପତି କିମ୍ବା ରାଜ୍ୟପାଳ ଏ ସମ୍ପର୍କରେ ନବୀନ ବାବୁଙ୍କ ସହ ଏକୁଟିଆ କଥା ହେବା ଉଚିତ।
ପ୍ରାୟ ୧୦ ବର୍ଷ ହେବ ନବୀନ ବାବୁ ଯେକୌଣସି ସ୍ଥାନକୁ ଯାଉଛନ୍ତି ତାଙ୍କ ପାଖେପାଖେ ପାଣ୍ଡିଆନ ରହୁଛନ୍ତି। ଏକ ସାମ୍ବିଧାନିକ ପଦରେ ରହି ମଧ୍ୟ ସବୁଠି ନବୀନ ବାବୁ କେବଳ ଓକେ ହିଁ କହୁଛନ୍ତି । ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଏକଲା କଥା ହୁଅନ୍ତି ନାହିଁ। ଏପରି ସ୍ଥିତିରେ ନବୀନ ବାବୁ ଠିକ୍ ଥିଲେ ଆମେ ଖୁସି। ମାତ୍ର ସେ ଠିକ୍ ଅଛନ୍ତି କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।