ବାତ୍ୟା ‘ରେମାଲ’ରେ ପଶ୍ଚିମବଙ୍ଗରେ ଜଣେ ମୃତ

0

ବାତ୍ୟା ‘ରେମାଲ’ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ହସ୍ତଗତ ହୋଇଛି। ବାତ୍ୟା ସମୟରେ କାନ୍ଥ ଭୁଶୁଡ଼ି ପଡିବାରୁ ଜଣେ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି।

ସେହିପରି ସୁନ୍ଦରବନରେ ମାଡ଼ ହେବା ସମୟରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ସେପଟେ ବାତ୍ୟା ପ୍ରଭାବ ଦୁର୍ବଳ ହେବା ପରେ କୋଲକାତାରେ ବିମାନ ସେବା ପୁନଃ ଆରମ୍ଭ ହୋଇଛି।

ଆଜି ଭାରତ ପାଣିପାଗ ବିଭାଗ (ଆଇଏମଡି) ଦେଇଥିବା ସଦ୍ୟତମ ଅପଡେଟରେ କହିଛି ଯେ, ରେମାଲ ‘ସାଇକ୍ଲୋନିକ୍ ଷ୍ଟୋର୍ମ’ରେ ପରିଣତ ହେବା ପରେ ଦୁର୍ବଳ ହୋଇଯାଇଛି ଏବଂ ଦିନରେ ଆହୁରି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ରେମାଲ ଗତକାଲି ରାତି ପ୍ରାୟ ୮.୩୦ରେ ବାଂଲାଦେଶର ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ ଫଲ୍ କରିଥିଲା। ଏହି ସମୟରେ ପବନର ବେଗ ୧୩୫ କିଲୋମିଟର ରହିଥିଲା।

ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସହ ପବନ ଲାଗି ରହିଥିଲା। ବିଶେଷ କରି ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ବାତ୍ୟା ପ୍ରଭାବ କମିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

Leave A Reply

Your email address will not be published.