ଭୁବନେଶ୍ବର (ଆମ ଟିଭି): ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି ଡିପଥେରିଆ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୦ ବର୍ଷ ନାବାଳକର ମୃତ୍ୟୁ ହୋଇଛି । ମୃତକ କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଗାଁର ଦିପୁନା ମେଲେକା ହୋଇଥିବା ଜଣାପଡ଼ିଛି । ଡିପଥେରିଆରେ କୋରାପୁଟ ଜିଲ୍ଲାର ଏହା ହେଉଛି ପ୍ରଥମ ମୃତ୍ୟୁ ମାମଲା । ଡିପଥେରିଆରେ ସଂକ୍ରମିତ ହେବା ପରେ କୋରାପୁଟ ମେଡିକାଲ କଲେଜରେ ଦିପୁନାଙ୍କ ଚିିକିତ୍ସାଂ ଚାଲିଥିଲା ।
ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତରଙ୍କ ସବୁ ପ୍ରକାର ଚେଷ୍ଟା ପରେ ବି ଦିପୁନା ମେଲେକାଙ୍କ ମୃତ୍ୟୁ ହୋଇଛି । ସେପଟେ ଡିପଥେରିଆ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାୟଗଡ଼ା କାଶୀପୁରରେ ବୁଷ୍ଟର ଡୋଜ ଦିଆଯାଉଛି । ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଂଟା ଡୋଜ ଦିଆଯାଉଥିବା ବେଳେ ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯାଉଛି । ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ବ୍ୟାପିଥିବା ଅନ୍ୟ ଅଂଚଳରେ ବୁଷ୍ଟର ଡୋଜ ଦିଆଯିବ । ଡିପଥେରିଆ ମୁକାବିଲା ପାଇଁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଂଟି ବାୟୋଟିକ୍ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭିଲାନ୍ସ କରାଯିବ ।