ପୂର୍ବତନ ମନ୍ତ୍ରୀଙ୍କ ପିତାଙ୍କୁ ଅତି ନିର୍ମମ ଭାବେ ହତ୍ୟା
ବିହାରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପୂର୍ବରୁ ସାଧାରଣ ଲୋକେ ହତ୍ୟାର ଶିକାର ହେଉଥିବା ବେଳେ ଏବେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ପିତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ବୃଦ୍ଧଜଣକ ହେଲେ ଜୀତନ ସହନୀ । ସେ ବିହାରର ପୂର୍ବତନ ମନ୍ତ୍ରୀ ତଥା ବିକାଶଶୀଳ ଇନସାନ ପାର୍ଟି (VIP) ପ୍ରମୁଖ ମୁକେଶ ସହନୀଙ୍କ ପିତା ବୋଲି ଜଣାଯାଇଛି।
ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିନିମନ୍ତେ SIT ଟିମ୍ ଗଠିତ ହୋଇଛି।
ଦରଭଙ୍ଗା ଜିଲ୍ଲାର ଅଫଜଲା ପଞ୍ଚାୟତରେ ଜୀତନ ସହନୀଙ୍କ ପୈତୃକ ଘରେ ଏହି ହତ୍ୟାକାଣ୍ଡ ଘଟିଛି। ଜୀତନ ସହନୀଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସେ ଏହି ଘରେ ଏକୁଟିଆ ରହୁଥିଲେ। ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହାର ତଦନ୍ତ କରୁଛି ପୁଲିସ୍।
ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାଯାଇଛି, ଚୋରି ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ରାତିରେ ଜୀତନଙ୍କ ଘରେ ପଶିଥିଲେ। ଜୀତନ ଏହାର ବିରୋଧ କରିବାରୁ ସେମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ପରେ ପାଖପଡ଼ୋଶୀ ଏନେଇ ଜାଣିବା ପରେ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝି ଏହି ଘଟଣା ତାଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏଥିସହ ଶୋକ ସନ୍ତପ୍ତ ପରିବାରକୁ ସ୍ୱାନ୍ତନା ଜଣାଇଛନ୍ତି।
ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ମୁକେଶ ସହନୀ ଜଣେ ରାଜନେତା ଥିବା ବେଳେ ତାଙ୍କ ପିତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରୁଛୁ। ଅପରାଧିଙ୍କୁ ଖୁବ୍ ଶୀଘ୍ର କାବୁ କରାଯିବ ।