ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍ଚ୍ୟୁତ୍ , ଦୁଇ ମୃତ, ୨୦ ଆହତ
ଆଜି ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍ଚ୍ୟୁତ୍ ହୋଇଥିବା ବେଳେ ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି। ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ଚକ୍ରଧରପୁର ଡିଭିଜନ୍ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ହାୱଡା-ମୁମ୍ବାଇ ଏକ୍ସପ୍ରେସ । ଏହି ଦୁର୍ଘଟଣା ଯୋଗୁ ଟ୍ରେନ୍ର ୧୮ଟି ବଗି ଟ୍ରାକ୍ରୁ ଖସି ଯାଇଥିବା ଜଣାଯାଇଛି।
ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚି ସ୍ଥତି ଅନୁଧ୍ୟାନ କରିଛନ୍ତି। ତୁରନ୍ତ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ବହୁ ଯାତ୍ରୀ ଦୁର୍ଘଟଣାସ୍ଥଳରେ ଅଟକି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ରେଲୱେର ସ୍ପେଶାଲ ଟ୍ରେନ୍ ଓ ବସ୍ର ବ୍ୟବସ୍ଥା କରାଯାଇଛି।
ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ୩ଟି ଟ୍ରେନ୍ ବାତିଲ୍ ହୋଇ ଯାଇଛି। ସେଗୁଡ଼ିକ ହେଲା ହାୱଡ଼ା- ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ, ଖଡଗପୁର-ଧାନବାଦ ଓ ହାୱାଡ଼ା-ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଟ୍ରେନ୍ । ଏହାବାଦ ୩ଟି ଟ୍ରେନ୍କୁ ସ୍ୱଳ୍ପ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ହାୱଡା ଷ୍ଟେଶନରେ ଏକ ସ୍ପେଶାଲ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି।
ଏହି ଦୁର୍ଘଟଣା ପରେ ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍ ଜାରି ହୋଇଛି। ରାଉରକେଲା ପାଇଁ ହେଲପ ଲାଇନ୍ ନମ୍ବର- 0661-2501072/2500244/2500191/2500171, ଝାରସୁଗୁଡ଼ା ପାଇଁ ହେଲ୍ପ ଲାଇନ୍ ନମ୍ବର- 06645-272530, ଚକ୍ରଧରପୁର ପାଇଁ ହେଲ୍ପଲାଇନ୍ ନମ୍ବର- 72770, 06587-238072 ଓ ଟାଟାନଗର ପାଇଁ ହେଲ୍ପଲାଇନ୍ ନମ୍ବର- 0657-2290324, RLY-73523