ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କଲେ ହରିଚନ୍ଦନ

0

ଭୁବନେଶ୍ୱର(ଆମ ଟିଭି): ବିଧାନସଭାରେ ସାଧାରଣ ବଜେଟ ନେଇ ମଙ୍ଗଳବାର ଅପରାହ୍ନରେ ଚାଲିଥିବା ଆଲୋଚନା ସମୟରେ ପଏଣ୍ଟ ଅଫ୍‌ ଅର୍ଡର ଆଣି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ୨୪ ବର୍ଷ ସରକାର ପରେ ମାତ୍ର ୨ ମାସ ଧରି ବିରୋଧୀ ଦଳରେ ବସିବାର ସୁଯୋଗ ପାଇଥିବା ବିଜେଡି ସଦସ୍ୟ ବନ୍ଧୁମାନଙ୍କୁ ଅନୁରୋଧ ଯେ, ବିରୋଧୀ ଦଳରେ ବସିବାର ଅଭ୍ୟାସ କରନ୍ତୁ। ଆପଣମାନଙ୍କ ୨୪ ବର୍ଷର କୁଶାସନର ପ୍ରଭାବ ଏ ପର୍ଯ୍ୟନ୍ତ ଶାସନତନ୍ତ୍ର ଉପରୁ ଯାଇନାହିଁ। ଧୈର୍ଯ୍ୟ ଧରନ୍ତୁ ଖୁବ୍‌ଶୀଘ୍ର ଭାଜପା ତା’ର ବିକଶିତ ଓଡ଼ିଶା ଏଜେଣ୍ଡାର କ୍ରିୟାନ୍ବୟନ ପ୍ରକ୍ରିୟାକୁ ଗତିଶୀଳ କରିବ। ମାତ୍ର ବର୍ଷକ ଭିତରେ ଲୋକ ଆପଣଙ୍କ ସରକାରକୁ ଏବଂ ଆପଣଙ୍କୁ ମଧ୍ୟ ଭୁଲିଯିବେ।

ଏ ଗ୍ୟାରେଣ୍ଟି ପବିତ୍ର ଗୃହରେ ଦେଉଛି। ଅତୀତରେ ୨୦୦୦ ମସିହାର କଂଗ୍ରେସକୁ ମଧ୍ୟ ଆମେ ଦେଖିଥିଲୁ। ଶାସନ ଗାଦିରୁ ହଟିଯିବା ପରେ ମଧ୍ୟ ସେମାନେ ଛାୟା ଶାସକ ଦଳ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ପରବର୍ତ୍ତୀ ସମୟରେ ଯେତେ ନିର୍ବାଚନ ହେଲା ସେମାନଙ୍କ ସ୍ଥିତି କ’ଣ ହେଲା କହିବାର ଆବଶ୍ୟକତା ନାହିଁ। ତେଣୁ ରାଜନୀତିରେ ଅହଂକାରର ସ୍ଥାନ ନାହିଁ। ଯିଏ ଅହଂକାର କରିଛି ତା’ର ରାଜନୀତି ଶେଷ ହୋଇଯାଇଛି। ବିରୋଧୀ ଦଳ ନେତା ଯେଉଁ ଆଚରଣ ଗୃହରେ ଦେଖାଇଛନ୍ତି ତାହା ଅଶୋଭନୀୟତାକୁ ପ୍ରଦର୍ଶନ କରିଛି। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ପଏଣ୍ଟ ଅଫ୍‌ ଅର୍ଡର ଉଠାଇବା ହେଉ କିମ୍ବା ବଜେଟ ଭାଷଣର ଉତ୍ତରରେ ‘ଜୁମ୍‌ଲା’ ଶବ୍ଦର ବ୍ୟବହାର କରିବା ୨୪ ବର୍ଷର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦାର ଅସମ୍ମାନ କରିଛି। ବିରୋଧୀ ଦଳ ନେତାଙ୍କ ଭାଷାରେ ଯଦି ରାଜ୍ୟର ବଜେଟ ଏକ ଜୁମ୍‌ଲା, ତେବେ ସେ ୨୪ ବର୍ଷ ଧରି ଏହି ପବିତ୍ର ଗୃହରେ ଯେଉଁ ଜୁମ୍‌ଲା ଉପସ୍ଥାପନ କରିଥିଲେ ତା’ର ଉତ୍ତର କିଏ ଦେବେ।

Leave A Reply

Your email address will not be published.