ରାଷ୍ଟ୍ରବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ୫ ପୋଲିସ, ଜଣେ ଶିକ୍ଷକ ବହିଷ୍କୃତ
ଲୋକଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ଜମ୍ମୁ-କଶ୍ମୀର ପୋଲିସ ରାଷ୍ଟ୍ରବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ। ଏଭଳି ୫ ପୋଲିସ କର୍ମଚାରୀଙ୍କ ସମେତ ୬ ଜଣଙ୍କୁ ଜମ୍ମୁ-କଶ୍ମୀର ପ୍ରଶାସନ ଶନିବାର ଚାକିରିରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ସରକାରୀ କର୍ମଚାରୀମାନେ ହେଲେ ସିଲେକ୍ସନ ଗ୍ରେଡ୍ କନ୍ଷ୍ଟେବଲ ସୈଫ ଡିନ୍, ଖଲିଦ ହୁସେନ ଶାହ, ହେଡ୍ କନ୍ଷ୍ଟେବଲ ଫାରୁକ ଅହମଦ ଶେଖ୍, କନ୍ଷ୍ଟେବଲ ହରମତ ଶାହ, ସିଲେକ୍ସନ ଗ୍ରେଡ୍ କନ୍ଷ୍ଟେବଲ ଇର୍ଶାଦ ଅହମଦ ଚଲ୍କୁ ଏବଂ ଶିକ୍ଷକ ନଜାମ ଡିନ୍। ଏମାନେ ଆତଙ୍କବାଦ ସହ ଜଡ଼ିତ କାର୍ଯ୍ୟକଳାପରେ ନିବିଡ଼ ଭାବେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୈଫ୍ ଡିନ୍ ଜଣେ କୁଖ୍ୟାତ ଡ୍ରଗ୍ସ ଚୋରା ଚାଲାଣକାରୀ ଏବଂ ଅଭ୍ୟାସଗତ ଅପରାଧୀ ହୋଇଥିବାବେଳେ ନାର୍କୋ ଟେରର ଫଣ୍ଡିଂର ମାଷ୍ଟରମାଇଣ୍ଡ।
ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ସେ ଡ୍ରଗ୍ସ ଯୋଗାଇବା ସହ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଦେଶବିରୋଧୀ ସଂସ୍ଥା ଓ ତତ୍ତ୍ୱମାନେ ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ ଚୋରା ଚାଲାଣ କରିବା ସହ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସୈଫ୍ଙ୍କ ଡ୍ରଗ୍ସ ଚ୍ୟାନେଲକୁ ବ୍ୟବହାର କରୁଥିଲେ। ହେଡ୍ କନ୍ଷ୍ଟେବଲ ଫାରୁକ ଅହମଦ ଶେଖ, ଖଲିଦ ହୁସେନ ଶାହ ଏବଂ ରହମତ ଶାହ ପାକ୍ ଅଧିକୃତ କଶ୍ମୀରର ଡ୍ରଗ ସ୍ମଗଲରମାନଙ୍କଠାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଗ୍ରହଣ କରିଥିଲେ। ଫାରୁକଙ୍କର ପାକିସ୍ତାନୀ ଆତଙ୍କବାଦୀମାନଙ୍କ ସହ ଯୋଗାଯୋଗ ରହିଥିଲା। ଏହି ନିଶା ଚୋରା କାରବାରରୁ ଉପାର୍ଜିତ ଅର୍ଥକୁ କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ଏବଂ ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିଲା। ଚଲକୁ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ଘନିଷ୍ଠ ସମ୍ପର୍କ ରଖିବା ସାଙ୍ଗକୁ ଲଶ୍କର-ଇ-ତୋଇବାର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ଶିକ୍ଷକ ନଜାମ ଡିନ୍ ମଧ୍ୟ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଏବଂ ହିଜବୁଲ ମୁଜାହିଦ୍ଦିନର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ସେ ନିୟନ୍ତ୍ରଣ ରେଖା ଆରପଟୁ ଆସୁଥିବା ଡ୍ରଗକୁ ପଞ୍ଜାବର ନିଶା ଚୋରା ବେପାରୀମାନଙ୍କ ପାଖକୁ ପଠାଉଥିଲେ।