ଭୁବନେଶ୍ୱର(ଆମ ଟିଭି): ରାଜ୍ୟର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜନା ବିଏସକେୱାଇର କ’ଣ ହେବ ଭବିଷ୍ୟତ? ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସେପ୍ଟେମ୍ବର ୧୦ ତିରଖ ଯାଏଁ ଚାଲିବ ବିଏସକେୱାଇ ଯୋଜନା। ଏହାପରେ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡ।
ଜୁଲାଇ ୩୦ରେ ୨ ମାସ ପାଇଁ ଲେଖାନୁଦାନକୁ ବିଧାନସଭା ଅନୁମୋଦନ କରିଛି। ସେପ୍ଟେମ୍ବର ୧୦ରେ ଆପ୍ରୋପ୍ରିଏସନ ବିଲ ପାରିତ ହେବ। ଏହାପରେ ସମସ୍ତଙ୍କୁ ମିଳିବ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ୩ କୋଟି ୫୬ ଲକ୍ଷ ବିଏସକେୱାଇ କାର୍ଡଧାରୀ ଅଛନ୍ତି। ଏମାନଙ୍କୁ ୯ ହଜାର ୫୦୯ଟି ହସ୍ପିଟାଲରେ ମିଳୁଛି ମାଗଣା ଚିକିତ୍ସା। ୮ ହଜାର ୫୩୦ ସରକାରୀ ଓ ୯୭୯ ଘରୋଇ ହସ୍ପିଟାଲ ଅନୁବନ୍ଧିତ ଅଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡ ହେବା ପରେ କ’ଣ ବଦଳିବ? କାର୍ଡର ଲୋଗୋ ବଦଳିବ କି? ସହାୟତା ରାଶି ମଧ୍ୟ ବଦଳିପାରେ। କାର୍ଡର ଡିଜାଇନ୍ ମଧ୍ୟ ବଦଳିପାରେ। ଏହା ସହ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଯୋଜନା ଏକାଠି ଚାଲିବ ନା ଅଲଗା ଚାଲିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।