ନୂଆଦିଲ୍ଲୀ(ଆମ ଟିଭି): ମୋଦି ୩.୦ ସରକାର କ୍ଷମତାସୀନ ହେବା ପରେ ଲୋକ ସଭାରେ ଆଗତ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଓ୍ବକ୍ଫ (ସଂଶୋଧନ) ବିଲ୍କୁ ନେଇ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁଙ୍କ ଦ୍ୱାରା ଆଗତ ଉକ୍ତ ବିଲ୍ରେ ଥିବା ନିୟମକୁ ନେଇ ବିରୋଧୀ ସଦସ୍ୟମାନେ ଆପତ୍ତି ଉଠାଇ ହଟ୍ଟଗୋଳ କରିଛନ୍ତି। ଏହା ପରେ ରିଜିଜୁ ଉକ୍ତ ବିଧେୟକକୁ ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ପ୍ରସ୍ତାବ ରଖିଛନ୍ତି। ସେ ମୁସଲମାନ ଓ୍ବକ୍ଫ (ଉଚ୍ଛେଦ) ବିଲ୍, ୨୦୨୪ ବିଲ୍ ମଧ୍ୟ ଉପସ୍ଥାପନ କରିଛନ୍ତି।
ଓ୍ବକ୍ଫ (ସଂଶୋଧନ) ବିଧେୟକରେ ଓ୍ବକ୍ଫ ଆଇନ, ୧୯୯୫କୁ ୟୁନିଫାଏଡ୍ ଓ୍ବକ୍ଫ ମ୍ୟାନେଜ୍ମେଣ୍ଟ, ଏମ୍ପାଓ୍ବାରମେଣ୍ଟ, ଏଫିସିଏନ୍ସି ଆଣ୍ଡ୍ ଡେଭେଲପ୍ମେଣ୍ଟ ଆକ୍ଟ,୧୯୯୫ ରୂପେ ପୁନଃ ନାମକରଣ କରିବା ଲକ୍ଷ୍ୟ ରଖାଯାଇଛି। ଏହାକୁ ସଂସଦର ନିମ୍ନ ସଦନରେ ଆଗତ କରାଯିବା ପୂର୍ବରୁ ମଙ୍ଗଳବାର ରାତିରେ ବିଲ୍ର କପି ଲୋକ ସଭାର ସମସ୍ତ ସଦସ୍ୟଙ୍କୁ ବଣ୍ଟାଯାଇଥିଲା। ରିଜିଜୁ ବିଲ୍ ଆଗତ କରିବା ମାତ୍ରେ ଏହାକୁ ବିରୋଧ କରିବା ପାଇଁ ପୂର୍ବରୁ ନୋଟିସ ଦେଇଥିବା ଅନେକ ବିରୋଧୀ ଏମ୍ପି ପ୍ରସ୍ତାବିତ ସଂଶୋଧନକୁ ସମ୍ବିଧାନ ଓ ସଂଘବାଦ ଉପରେ ଆକ୍ରମଣ କହି ସମାଲୋଚନା କରିଥିଲେ। କଂଗ୍ରେସ ସଦସ୍ୟ କେ.ସି. ବେଣୁଗୋପାଳ କହିଥିଲେ, ସରକାର ଧର୍ମୀୟ ସ୍ବାଧୀନତାର ଉଲ୍ଲଂଘନ ଏବଂ ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ କରୁଛନ୍ତି। ଏହା ଏକ ନିଷ୍ଠୁର ଆଇନ। ଲୋକେ ଗତ ନିର୍ବାଚନରେ ଭାଜପାର ବିଭାଜନବାଦୀ ନୀତି ପାଇଁ ଉପଯୁକ୍ତ ଶିକ୍ଷା ଦେଇଛନ୍ତି। ଏହାସତ୍ତ୍ୱେ ହରିୟାଣା ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏହାକୁ ଜାରି ରଖିଛି। ଏହା ପରେ ଭାଜପା ଖ୍ରୀଷ୍ଟିଆନ୍ ଓ ଜୈନମାନଙ୍କୁ ଟାର୍ଗେଟ କରିବାକୁ ଯାଉଛି।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଭାଜପାର କଠୋରପନ୍ଥୀ ସମର୍ଥକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ବିଲ୍ ଅଣାଯାଇଛି। ଅନ୍ୟ ଧର୍ମୀୟ ସଂସ୍ଥାଗୁଡ଼ିକରେ ସମ୍ପୃକ୍ତ ଧର୍ମ ବାହାର ଲୋକଙ୍କୁ ସାମିଲ କରାଯାଉନାହିଁ। ଓ୍ବକ୍ଫ ବୋର୍ଡଗୁଡ଼ିକରେ ଅଣମୁସଲମାନଙ୍କୁ କାହିଁକି ରଖାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍ସି) ସଦସ୍ୟ ସୁଦୀପ ବନ୍ଦୋପାଧ୍ୟାୟଙ୍କ ମତରେ ଏହା ଏକ ବିଭାଜନବାଦୀ, ଅସାମ୍ବିଧାନିକ ଓ ସଂଘୀୟ ବ୍ୟବସ୍ଥା ବିରୋଧୀ ବିଧେୟକ। ଡିଏମ୍କେ ସଦସ୍ୟା କାନିମୋଝି ମଧ୍ୟ ବିଲ୍କୁ ସମ୍ବିଧାନ ବିରୋଧୀ କହି ବିରୋଧ କରିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାଓ୍ବାର) ଏମ୍ପି ସୁପ୍ରିୟା ସୁଲେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ପାଇଁ ଅଣାଯାଇଥିବା ବିଧେୟକକୁ ତାଙ୍କ ଦଳ ବିରୋଧ କରୁଛି। ଇଣ୍ଡିଆନ ୟୁନିୟନ୍ ମୁସଲିମ ଲିଗ୍ (ଆଇୟୁଏମ୍ଏଲ୍) ସଦସ୍ୟ ଇ.ଟି. ମହମ୍ମଦ ବଶିର ଏହି ବିଲ୍ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫, ୨୫, ୨୬ ଓ ୩୦କୁ ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ବିରୋଧ କରିଛନ୍ତି। ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଓ୍ବକ୍ଫ ଆଇନରେ ସଂଶୋଧନ ଆଣିବା କ୍ଷମତା ଗୃହର ନାହିଁ। ଏହି ସରକାର ମୁସଲମାନ ବିରୋଧୀ, ଯାହାକି ଉକ୍ତ ବିଲ୍ରୁ ପ୍ରମାଣିତ ହୋଇଛି।