ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ

0

ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ । ଦୁଇ ଗୁଣା କାର୍ଯ୍ୟକର୍ତ୍ତା ପାଇଁ ଷ୍ଟ୍ରାଟେଜି । ପ୍ରତି ବୁଥରେ ୨୦୦, ଆଉ ସାରା ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଲକ୍ଷ୍ୟ । ଅନ୍ୟପଟେ ବିଜେଡି ବି ନିଜ ସଙ୍ଗଠନକୁ ଯୋଡ଼ିବାକୁ ଆରମ୍ଭ କରିଛି ଜନ ଜାଗରଣ ଅଭିଯାନ ।

ରାଜ୍ୟ ସରକାରଙ୍କ ବିଫଳତା ଓ ନିର୍ବାଚନ ପ୍ରତିଶ୍ରୁତିକୁ ନେଇ ଲୋକଙ୍କୁ ସଚେତନ କରିବାକୁ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ । ବଢ଼ିବ ବିଜେପିର କଳେବର । ସଂଖ୍ୟା ବଢେଇ ଶକ୍ତି ବଢାଇବାକୁ ପଦ୍ମ ଦଳର ମାଷ୍ଟରପ୍ଲାନ । ଦେଢ ମାସରେ କୋଟିଏ କାର୍ଯ୍ୟକର୍ତ୍ତା ପାଇଁ ବ୍ଲୁପ୍ରିଣ୍ଟ । ପ୍ରତି ବୁଥରେ ୨୦୦ ଜଣଙ୍କୁ ଟାର୍ଗେଟ୍ ।ଆସନ୍ତାକାଲିଠାରୁ ରାଜ୍ୟଠୁ ବୁଥ୍ ପର୍ଯ୍ୟନ୍ତ କର୍ମଶାଳା । ସେପ୍ଟେମ୍ବର ୧ରୁ ବିଜେପି ଆରମ୍ଭ କରିବାକୁ ଯାଉଛି ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ । ଓଡ଼ିଶାରେ ସରକାରକୁ ଆସିବା ପରେ ସଂଗଠନକୁ ମଜଭୁତ କରିବା ପାଇଁ, ଅଧିକରୁ ଅଧିକ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଦିଲ୍ଲୀରେ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ ।

ସେପ୍ଟେମ୍ବର ୧ରେ ପ୍ରଥମେ ପ୍ରଧାନମନ୍ତ୍ରୀ ସଦସ୍ୟତା ଗ୍ରହଣ କରିବା ପରେ ରାଜ୍ୟରେ ଆରମ୍ଭ ହେବ ମେମ୍ବରସିପ୍ ଡ୍ରାଇଭ । ଅଢେଇ ମାସରେ ନୂଆ ସରକାରଙ୍କ ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯାଇ ଦଳ ସହ ଯୋଡ଼ାଯିବ । ବିଶେଷ କରି ବିଜେପି ପୂରଣ କରିଥିବା ନିର୍ବାଚନ ପ୍ରତିଶ୍ରୁତି, ରତ୍ନଭଣ୍ଡାର ସହ ଚାରି ଦ୍ୱାର ଖୋଲିବା, ଧାନର MSP ୩୧୦୦ ଯାଏଁ ବୃଦ୍ଧି, ସୁଭଦ୍ରା ଯୋଜନା, ଭତ୍ତା ୩୫୦୦ ଯାଏଁ ବୃଦ୍ଧି, ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପ୍ରସଙ୍ଗ ସବୁକୁ ନେଇ ଗ୍ରାଉଣ୍ଡରେ ପହଞ୍ଚିବେ କର୍ମୀ ।ଏପଟେ ବିଜେଡି ମଧ୍ୟ ଜନ ଜାଗରଣ ଅଭିଯାନ ହାତକୁ ନେଇଛି । ଅଗଷ୍ଟ ୧୫ ତାରିଖରୁ ରାଜ୍ୟ ସରକାରଙ୍କ ବିରୋଧରେ ଏହି କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ ପଞ୍ଚାୟତ ସ୍ତରରେ ଭୋଟରମାନଙ୍କୁ ସଚେତନ କରିବାକୁ ଲିଫ୍ଲେଟ ବାଣ୍ଟିବା ସହ ଧାରଣା ମଧ୍ୟ ପ୍ରଦର୍ଶନ କରାଯାଉଛି । ସେପଟେ ଆସନ୍ତାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଏବଂ ଜିଲ୍ଲା ସଦସ୍ୟତା କମିଟିକୁ ନେଇ ବସିବ ରାଜ୍ୟସ୍ତରୀୟ କର୍ମଶାଳା ।

Leave A Reply

Your email address will not be published.